ଅକ୍ଷର ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଭୁଶୁଡ଼ି ପଡ଼ିବା ଘଟଣା ପରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ବ୍ରିଜ୍ର ଢାଞ୍ଚାଗତ ସୁରକ୍ଷା ଯାଞ୍ଚ କରାଯିବ ଏବଂ ଏହାର ବିସ୍ତୃତ ରିପୋର୍ଟ ଜୁଲାଇ ୪ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ତ୍ତ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଲକ୍ଷ୍ମୀକାନ୍ତ ପାଢ଼ୀ ରାଜ୍ୟର ସମସ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ବ୍ରିଜ୍ଗୁଡ଼ିକର ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି। ଏହା ଏକ ଉଚ୍ଚସ୍ତରୀୟ ସରକାରୀ ନିର୍ଦ୍ଦେଶ ହୋଇଥିବାରୁ ଯାଞ୍ଚ ପ୍ରକ୍ରିୟାରେ କୌଣସି ପ୍ରକାର ଅବହେଳା ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ମୌସୁମୀ ବର୍ଷା ସମୟରେ ବ୍ରିଜ୍ଗୁଡ଼ିକର ସୁରକ୍ଷା ଓ ଯାତାୟାତକୁ ନିରବିଚ୍ଛିନ୍ନ ରଖିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ବ୍ରିଜ୍ର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏଥିରେ ବ୍ରିଜ୍ର ବୟସ, ବର୍ତ୍ତମାନ ସ୍ଥିତି, ମରାମତି ଇତିହାସ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମିଲ କରାଯିବ। ଚିଠିରେ କୁହାଯାଇଛି ଯେ, ଯାଞ୍ଚ ବେଳେ ସାମାନ୍ୟ ତ୍ରୁଟି ଚିହ୍ନଟ ହେଲେ ତୁରନ୍ତ ମରାମତି କରାଯିବ। ସେହିପରି ଗୁରୁତର ଢାଞ୍ଚାଗତ ସମସ୍ୟା ଥିବା ବ୍ରିଜ୍ଗୁଡ଼ିକୁ ବିଶେଷଜ୍ଞଙ୍କ ଦ୍ୱାରା ତୁରନ୍ତ ଯାଞ୍ଚ କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ଓ ପ୍ରବଳ ସ୍ରୋତ ଯୋଗୁଁ ବ୍ରିଜ୍ଗୁଡ଼ିକ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଥାଏ। ତେଣୁ ପୂର୍ବରୁ ସୁରକ୍ଷା ଆକଳନ କରି ଦୁର୍ବଳ ବ୍ରିଜ୍ଗୁଡ଼ିକର ମରାମତି ଏବଂ ଆବଶ୍ୟକ ହେଲେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପ୍ରାଥମିକତା ଦେଇଛନ୍ତି।













Leave a Reply