ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ପ୍ରକଳ୍ପକୁ ନେଇ ଆଗକୁ ବଢ଼ିଛି ପ୍ରକ୍ରିୟା। ପ୍ରାୟ ୫,୦୦୫.୧୯୫ ଏକର ଲୁଣିଆ ଜମିରେ ବନ୍ଦର ବିକାଶ ପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ଚିଠିରେ ଏହି ନିଷ୍ପତ୍ତି ସ୍ପଷ୍ଟ କରାଯାଇଥିବା ରିପୋର୍ଟ ହୋଇଛି।
ବିଭାଗୀୟ ଚିଠି ଅନୁସାରେ, ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ବିକାଶ ପାଇଁ in-principle approval ଦିଆଯାଇଛି। ଏହା ସହ ପ୍ରକଳ୍ପର ବିକାଶ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍କୁ ନେଇ ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ (SPV) ଗଠନ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ଅନୁମୋଦନ ମିଳିଛି। ଏହି ଚିଠି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଫଳରେ ପ୍ରକଳ୍ପର ପ୍ରତିଷ୍ଠାନଗତ ବ୍ୟବସ୍ଥା ଓ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବାର ମାର୍ଗ ଖୋଲିଛି।
ବାହୁଦା ମୁହାଣରେ ମେଜର ପୋର୍ଟ ପ୍ରକଳ୍ପର ପ୍ରସ୍ତାବ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଓଡ଼ିଶାର ୨୦୨୫-୨୬ ଆର୍ଥିକ ସର୍ଭେରେ ମଧ୍ୟ ଚିକିଟି ତହସିଲ୍ ଅଞ୍ଚଳର ବାହୁଦା ମୁହାଣରେ ଏକ all-weather Satellite Major Port ବିକାଶ ପାଇଁ ୨୦୨୫ରେ SPV ମାଧ୍ୟମରେ ଚୁକ୍ତି ହୋଇଥିବା ଏବଂ ପ୍ରକଳ୍ପର ଆନୁମାନିକ ନିବେଶ ୨୧,୫୦୦ କୋଟି ଟଙ୍କା ବୋଲି ଉଲ୍ଲେଖ ରହିଛି। ଏବେ ରାଜ୍ୟ ସରକାରଙ୍କ ନୀତିଗତ ଅନୁମୋଦନ ପରେ SPV ଗଠନ ଓ ପ୍ରକଳ୍ପର ଅନ୍ୟାନ୍ୟ ପ୍ରତିଷ୍ଠାନଗତ ଏବଂ ବିକାଶମୂଳକ ପଦକ୍ଷେପ ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରକଳ୍ପଟି ଓଡ଼ିଶାର ବନ୍ଦରଭିତ୍ତିକ ବିକାଶ ଓ ସାମୁଦ୍ରିକ ଭିତ୍ତିଭୂମି ବିସ୍ତାର ଯୋଜନାର ଏକ ଅଂଶ ବୋଲି ରାଜ୍ୟର ଆଧିକାରିକ ଦସ୍ତାବିଜରେ ଉଲ୍ଲେଖ ହୋଇଛି।














Leave a Reply