ରାଜ୍ୟରେ ବଢିବ ଶିକ୍ଷାର ମାନ, ବୃଦ୍ଧି ହେବ ବିଜ୍ଞାନ ଜ୍ଞାନ। ଏବେ ମନୋରଞ୍ଜନ ସହିତ ଅଧ୍ୟୟନ ଓ ସୃଜନଶୀଳତା ବୃଦ୍ଧି ପାଇଁ ଅବସର ସୃଷ୍ଟି କରିବେ ମୋହନ ସରକାର। ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ଓ ତ୍ରୁଟିକୁ ସୁଧାରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ। ଓଡିଶାର ଭୁବନେଶ୍ଵର ଉପକଣ୍ଠରେ ୧୦୦ ଏକର ପରିମିତରେ ଏକ ନୂତନ ଅତ୍ୟାଧୁନିକ ସାଇନ୍ସ ସିଟି ନିର୍ମାଣ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଯେଉଁଥି ପାଇଁ ଗୁଜରାଟର ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଓ ଅହମ୍ମଦାବାଦ ସ୍ଥିତ ସାଇନ୍ସ ସିଟି ପରିଦର୍ଶନ କରି ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ସେଠାରେ ଥିବା ଆମ ଓଡିଆ ବୈଜ୍ଞାନିକ ଡ. ସଂଗ୍ରାମ ଲେଙ୍କା, ଡ. ସନ୍ଦିପ ପଣ୍ଡା, ଡ. ବଳରାମ ମହାପାତ୍ର, ଏବଂ ଡ. ସୁଦିପ୍ତ ପଣ୍ଡା ତଥା ଅନ୍ୟ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ସାକ୍ଷାତ କରି ଏହି ବିଷୟରେ ଅଧିକ ଆଲୋଚନା କରିଛନ୍ତି ମନ୍ତ୍ରୀ। ଗୁଜୁରାଟ ସାଇନ୍ସ ସିଟି ଭଳି ଉତ୍ତମ ଓ ଅତ୍ୟାଧୁନିକ ସାଇନ୍ସ ସିଟି ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ସୂଚନା ମିଳିଛି। ଏହି ସାଇନ୍ସ ସିଟିରେ ବିଜ୍ଞାନର ମୌଳିକ ତଥ୍ୟ ସହ, ପିଲାଙ୍କ ବ୍ୟବହାରିକ ଜ୍ଞାନର ବିକାଶ ପାଇଁ ଅନେକ ସୁଯୋଗ ରହିବ ବୋଲି ଜଣାପଡିଛି। ତୁରନ୍ତ ଏହି ଯୋଜନା ଉପରେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତୁରନ୍ତ ଜମି ଅଧିଗ୍ରହଣ କରାଯାଇ କାମ ସରିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ବିଜେଡି ସରକାର ୨୦୨୨ ମସିହାରେ ୩୦ ଏକ ଜମିରେ ରାଜଧାନୀ ଉପକଣ୍ଠରେ ସାଇନ୍ସ ସିଟି କରିବାକୁ ଘୋଷଣା କରିଥିଲେ ମଧ୍ୟ ଏହାର ଆରମ୍ଭ ହୋଇ ପାରିନଥିଲା। ଭୁବନେଶ୍ୱରରେ ସାଇନ୍ସ ସିଟି ଖୋଲିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଜ୍ଞାନ ଆହୁରି ବୃଦ୍ଧି ପାଇବ। ଖେଳରେ ଖେଳରେ ଓଡ଼ିଆ ପିଲା ବିଜ୍ଞାନ ଜ୍ଞାନ ଶିଖିବେ ବୋଲି କୁହାଯାଇଛି। ତେବେ ମୋହନ ସରକାରଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି।












Leave a Reply