ଅକ୍ଷର ବ୍ୟୁରୋ: ଆଜିଠାରୁ ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ । ଘର ଘର ବୁଲି ଜନଗଣନା କରିବେ ସମସ୍ତ ଜନଗଣନା ଅଧିକାରୀ । ଏଥିପାଇଁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜନଗଣନା କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ୯୦,୨୦୦ ଜଣ ଜନଗଣନା ଅଧିକାରୀ ଏବଂ ୧୫,୧୪୦ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ପ୍ରାଥମିକ ସ୍କୁଲ୍ ଶିକ୍ଷକ-ଜନଗଣନା ଅଧିକାରୀ ଓ ହାଇସ୍କୁଲ୍ ଶିକ୍ଷକ-ସୁପରଭାଇଜର୍ ରହିଛନ୍ତି । ପ୍ରଥମରେ ଘର ଗଣତି ସହ ନମ୍ବରିଂ ଏବଂ ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଜନଗଣନା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଦିଆଯାଇଛି ।
ଏଥିପାଇଁ ଜଣଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ପଡ଼ିବ । ସେମାନେ ପ୍ରତି ଘର ଗଣିବେ ଏବଂ ଘର ନମ୍ବରିଂ କରିବେ । ଏହାସହ ଘରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରିବେ । ଏପର୍ୟ୍ୟନ୍ତ, ସାରା ଦେଶରେ ୧୨ ଲକ୍ଷରୁ ଅଧିକ ପରିବାର ଅନଲାଇନ ଜରିଆରେ ଆତ୍ମ-ଗଣନା ସମାପ୍ତ କରିଛନ୍ତି । ଏହି ପରିବାର ମଧ୍ୟରୁ ଅଧାରୁ ଅଧିକ ପରିବାର ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଓଡ଼ିଶା, ଏନଡିମିସି ଏବଂ ଦିଲ୍ଲୀ ଏନସିଆରର କ୍ୟାଣ୍ଟନମେଣ୍ଟ ଅଞ୍ଚଳ, ମିଜୋରାମ, ସିକିମ ଏବଂ ଲକ୍ଷାଦ୍ୱୀପରେ ଆତ୍ମଗଣନା ପାଇଁ ୧୫ଦିନିଆ ସମୟ ବୁଧବାର ଶେଷ ହୋଇଛି । ଏବେ ଏହି ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଘରକୁ ଘର ଗଣନା ଆଜିଠାରୁ ଆରମ୍ଭ ହେବ । ଏହି କ୍ଷେତ୍ର ଗଣନା ଗୋଟିଏ ମାସ ପାଇଁ ଜାରି ରହିବ ଏବଂ ମଇ ୧୫ ତାରିଖରେ ଶେଷ ହେବ ।












Leave a Reply