ଅକ୍ଷର ବ୍ୟୁରୋ: ଅଣସର ଘରେ ଚାଲିଛି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଗୁପ୍ତ ସେବା ଓ ଉପଚାର। ଦେବସ୍ନାନ ପୂର୍ଣ୍ଣିମା ପରେ ଅସୁସ୍ଥ ଅବସ୍ଥାରେ ଥିବା ମହାପ୍ରଭୁଙ୍କୁ ୧୫ ଦିନର ଅଣସର ସମୟରେ ଦଇତାପତି ସେବକମାନେ ଶାସ୍ତ୍ରୋକ୍ତ ବିଧିରେ ସେବା ଶୁଶ୍ରୂଷା କରୁଛନ୍ତି। ଆଜି ଅଣସର ନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ।
ଏହି ଅବସରରେ ଦଇତାପତି ସେବକମାନେ ଏକବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କ ଗୁପ୍ତ ଉପଚାରରେ ନିୟୋଜିତ ହୋଇଛନ୍ତି। ଆଜି ମହାପ୍ରଭୁଙ୍କୁ ଶୁକ୍ଳ ବସ୍ତ୍ର ପରିଧାନ କରାଯିବା ସହ ଶୁକ୍ଳ ବର୍ଣ୍ଣର ଫୁଲରେ ସଜ୍ଜିତ କରାଯିବ। ପରମ୍ପରା ଅନୁଯାୟୀ ଦୁଇବେଳା ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରାଯିବ। ଅଣସରର ଏହି ସମସ୍ତ ନୀତିକାନ୍ତି ଅତ୍ୟନ୍ତ ଗୁପ୍ତ ଭାବେ ଅନୁଷ୍ଠିତ ହେଉଥିବାରୁ କେବଳ ଦଇତାପତି ସେବକମାନେ ଏହି ସେବାରେ ସାମିଲ ହୋଇଥାନ୍ତି।
ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବାରୁ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠ। ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନର ବିଶେଷ ମହତ୍ତ୍ୱ ଥିବାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ବ୍ରହ୍ମଗିରିରେ ପହଞ୍ଚୁଛନ୍ତି। ଅଣସରର ଚତୁର୍ଥ ଦିନରେ ମଧ୍ୟ ଅଲାରନାଥ ମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।
ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଅଣସର ସମୟ ସରିବା ପରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ଓ ପରବର୍ତ୍ତୀ ରଥଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଅପେକ୍ଷା ଚରମ ସୀମାରେ ପହଞ୍ଚିଛି।














Leave a Reply