ନୟାଗଡ଼ରେ ଚାଞ୍ଚଲ୍ୟ! ‘ଭିଡ଼ହିଂସାରେ ହତ୍ୟା’ ଅଭିଯୋଗ, ନଈପଠାରୁ ମିଳିଲା ଯୁବକଙ୍କ ମୃତଦେହ

ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲାରେ ପୁଣି ଏକ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସଦର ଥାନା ଅନ୍ତର୍ଗତ ଡାଳିଆମଡ଼ା ଗାଁର ଯୁବକ ଅଭିମନ୍ୟୁ ସାହୁଙ୍କୁ ଭିଡ଼ ମିଶି ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ନଈରେ ଭସାଇ ଦିଆଯାଇଥିବା ଗୁରୁତର ଅଭିଯୋଗ ତାଙ୍କ ପରିବାର ଆଣିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଓ ଚର୍ଚ୍ଚା ଦେଖାଦେଇଛି।

ସୂଚନା ଅନୁସାରେ, ଅଭିମନ୍ୟୁ ସାହୁ ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପରଦିନ ସୋମବାର ଗାଁ ନିକଟସ୍ଥ ନଈପଠାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଅଭିମନ୍ୟୁ ଗାଁରେ ବାସନ୍ଦ ହୋଇ ଅଲଗା ରହୁଥିଲେ ଏବଂ ଗାଁ କମିଟିର କିଛି ସର୍ତ୍ତକୁ ମାନୁନଥିଲେ। ଏହି କାରଣରୁ ଗାଁ ବୈଠକରେ ତାଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ହୋଇଥିବା ଅଭିମନ୍ୟୁଙ୍କ ବାପା ଅଭିଯୋଗ କରିଛନ୍ତି। ପରିବାରର ଦାବି, ଗାଁର କିଛି ଲୋକ ତାଙ୍କୁ ପିଟିପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ନଈରେ ଭସାଇ ଦେଇଥିଲେ।

ଘଟଣାର ଗୁରୁତ୍ୱକୁ ଦେଖି ପୁଲିସ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରଙ୍କ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତକୁ ଆଗକୁ ବଢ଼ାଇଛି। ବ୍ୟବଚ୍ଛେଦ ରିପୋର୍ଟ, ଫରେନସିକ୍ ପ୍ରମାଣ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସେପଟେ, ତଦନ୍ତ ଆରମ୍ଭ ହେବା ପରେ ଡାଳିଆମଡ଼ା ଗାଁର ଅନେକ ପୁରୁଷ ଘର ଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣା ଆହୁରି ରହସ୍ୟମୟ ହୋଇପଡ଼ିଥିବା ବେଳେ ପୁଲିସ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)