ଘର ଚଟଣାରେ ଶୋଇଥିବାବେଳେ କାମୁଡ଼ିଲା ସାପ; ଚାଲିଗଲା ଜୀବନ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ମଠଗୋଡ଼ ସାହିରେ ଘଟିଛି। ମୃତକ ହେଲେ ୪୦ ବର୍ଷୀୟ ବୀରବର ନାଏକ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବୀରବର ନାଏକ ଖାଇପିଇ ନିଜ ଘରର ଚଟଣାରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପ୍ରଥମେ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ରାତି ପ୍ରାୟ ୩ଟା ବେଳେ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେବାରୁ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୀରବରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପଟେ, ସାପ କାମୁଡ଼ିବା ପରେ ପରିବାର ଲୋକେ ସାପଟିକୁ ମାରି ପୋଡ଼ି ଦେଇଥିବା ଜଣାପଡ଼ିଛି। ବୀରବରଙ୍କ ଅକାଳ ବିୟୋଗରେ ପରିବାର ସହ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ବର୍ଷା ଋତୁରେ ସାପଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ସ୍ଥାନୀୟ ଲୋକେ ମଧ୍ୟ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial