ରାୟଗଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ବାପାଙ୍କୁ ପୁଅ ଆକ୍ରମଣ କରିଥିବା ଅଭିଯୋଗ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି. ପେଣ୍ଡିଲି ଗ୍ରାମରେ। ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ସମୟରେ ବ୍ୟକ୍ତିଜଣକ ଘରେ ଶୋଇଥିବାବେଳେ ତାଙ୍କ ପୁଅ ବ୍ଲେଡ୍ରେ ଆକ୍ରମଣ କରିଥିଲା। ସକାଳ ପ୍ରାୟ ୬ଟା ୩୦ ସମୟରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ଆହତଙ୍କୁ ତାଙ୍କ ଜ୍ୱାଇଁ ଲବ ପାଲାକା ଓ ତାଙ୍କ ପତ୍ନୀ ଆମ୍ବୁଲାନ୍ସ ଯୋଗେ ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବର ପାଇ ଗୁଡ଼ାରି ଥାନା ଅଧିକାରୀ ବିଶ୍ୱବନ୍ଧିନୀ ବାଗ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।
ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯିବା ସହ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ଏବଂ ସ୍ଥାନୀୟ ଡାକ୍ତରଖାନାରେ ଆବଶ୍ୟକ ସୁବିଧା ନଥିବାରୁ ତାଙ୍କୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇ ଗୁଡ଼ାରି ଥାନା ଏସ୍ଆଇ ଶ୍ୟାମସୁନ୍ଦରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁଲିସ ଅଭିଯୁକ୍ତ ପୁଅକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତକୁ ଗୁଣୁପୁର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବିଶ୍ୱବନ୍ଧିନୀ ବାଗ ସୂଚନା ଦେଇଛନ୍ତି।














Leave a Reply