ଗୋ-ମାତା ଚାଲାଣକାରୀଙ୍କୁ କଡ଼ା ଆଭିମୁଖ୍ୟ; ମତ୍ସ୍ୟ-ପ୍ରାଣୀ ସମାବେଶକୁ ଉଦ୍‌ଘାଟନ କରିବା ଅବସରରେ ସତର୍କ କଲେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ରାଜ୍ୟକୁ ମାଛ, କୁକୁଡ଼ା ମାଂସ, ଅଣ୍ଡା ଇତ୍ୟାଦିରେ ଆତ୍ମନିର୍ଭର କରିବା ପାଇଁ ସରକାର ଦୃଢ଼ ସଂକଳ୍ପ କରିଛନ୍ତି । ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । କିନ୍ତୁ ରାଜ୍ୟରେ ଗୋ ମାତାଙ୍କୁ ଚାଲାଣ କରୁଥିବା ଲୋକ ସତର୍କ ହୋଇଯାଆନ୍ତୁ । ନଚେତ୍ ସରକାର ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ । କେନ୍ଦୁଝର ପୁଲିସ ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଭଳି ୪ଟି ଜିଲାରେ ବହୁ ବେଆଇନ ଗୋ-ଚାଲାଣକାରୀଙ୍କ ଘରେ ବଡ଼ ଧରଣର ଚଢ଼ଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରାଯିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏଭଳି ଚେତାବନୀ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ବୁଧବାର ଭୁବନେଶ୍ବରର ଜନତା ମଇଦାନ ଠାରେ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚେତାବନୀ ଦେଇଛନ୍ତି ।

ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା । ଆମ ରାଜ୍ୟର ଚାଷୀଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍‌ଡିଂ ଆହୁରି କମିଯିବ । ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇ ଶଙ୍କର ଜାତୀୟ ଅଧିକ ଦୁଗ୍‌ଧ ପ୍ରଦାନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି । ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଦୁଗ୍‌ଧ ବ୍ୟବସାୟୀଙ୍କ ପାଇଁ ଓମ୍‌ଫେଡ୍‌ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ରାଶି ଦିଆଯାଉଛି । କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋ-ପାଳକ ଉପକୃତ ହୋଇଛନ୍ତି । ମାଛ ଉତ୍ପାଦନରେ ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଆମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍‌ଧ ବିପ୍ଳବରେ ଏକ ନୂଆ ଦିଗନ୍ତ ଆଣିଛି । ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ଆଗାମୀ ଦିନରେ ଗୋ-ସମ୍ପଦ ଓ ଗୋ-ମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ । ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇ ଦେବ। କାର୍ଯ୍ୟକ୍ରମରେ ସମସ୍ତ ଜିଲାରୁ ବହୁ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ଗବେଷକ, କୃଷି ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମତ୍ସ୍ୟ ନି‌ର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)