ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି ପୂରିଛି ଦୁଇ ବର୍ଷ। ୨୦୨୪ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଘରେ ଘରେ ଦୀପ ଜାଳିବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବେ ସୁଭଦ୍ରା ଯୋଜନାର ହିତାଧିକାରୀ। ଏହାସହ ଜିଲ୍ଲାସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଏବଂ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ କରାଯିବ। ୨୦୨୪ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଅଧୀନରେ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ୨୫ ହଜାର ୮ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ସାମିଲ ହୋଇନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ଏପ୍ରିଲ ମାସରେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବ ଏବଂ ନୂଆ ହିତାଧିକାରୀ ନିଜ ନାଁ ପଞ୍ଜୀକରଣ କରିପାରିବେ। ଯୋଜନାର ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ ୨୧ ବର୍ଷ ବୟସ ହୋଇଥିବା ଯୁବତୀମାନେ ମଧ୍ୟ ଆବେଦନ କରିପାରିବେ। ତେବେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଘରେ ଘରେ ଦୀପ ଜାଳି ସୁଭଦ୍ରା ଯୋଜନାର ଦୁଇ ବର୍ଷର ଯାତ୍ରାକୁ ପାଳନ କରିବାକୁ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅପିଲ୍ କରିଛନ୍ତି।














Leave a Reply