ଜଗତସିଂହପୁର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗଣ୍ଡଗୋଳକୁ ନେଇ ଅଡୁଆରେ ବିସର୍ଜନ ପ୍ରକ୍ରିୟା। ଅତର୍କିତ ଆକ୍ରମଣ ପରେ ଘଟଣାସ୍ଥଳରୁ କ୍ଲବ ସଦସ୍ୟମାନେ ଦୌଡ଼ି ପଳାଇବାରୁ ରାସ୍ତା ମଝିରେ ଅଟକି ରହିଛି ଗଣେଶ ମୂର୍ତ୍ତି। ଦୀର୍ଘ ପ୍ରାୟ ୩୦ ଘଣ୍ଟା ଧରି ବିସର୍ଜନ ନହୋଇ ଗାଁ ଦାଣ୍ଡରେ ଅଟକି ରହିଛନ୍ତି ବିଘ୍ନରାଜ। ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ଲକ୍ ଥାନା ଅନ୍ତର୍ଗତ ନିମିଢି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ, ନିମିଢି ଗାଁର ନିତାଇ ଗୌର ୟୁଥ୍ କ୍ଲବ୍ ପକ୍ଷରୁ ଦୀର୍ଘ ୩୦ ବର୍ଷ ଧରି ଗଣେଶ ପୂଜା ଆୟୋଜନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଯଥାରୀତି ପୂଜାର୍ଚ୍ଚନା ପରେ ଗତକାଲି ବିସର୍ଜନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୩ଟାରୁ ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ରଙ୍ଗବେରଙ୍ଗ ଆଲୋକ ସାଙ୍ଗକୁ ବାଦ୍ୟର ତାଳେତାଳେ କ୍ଲବର ଯୁବକମାନେ ନୃତ୍ୟ କରି ଗଣେଶ ମୂର୍ତ୍ତିକୁ ନେଇ ଯାଉଥିଲେ।
ତେବେ ଗଣେଶଙ୍କ ବିସର୍ଜନ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଗାଁର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ନିତାଇ ଗୌର କ୍ଲବର ସଦସ୍ୟମାନଙ୍କ ସହ ସେମାନେ ଗାଳିଗୁଲଜ କରିବା ସହ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ କ୍ଲବର ଯୁବକମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଫଳରେ ବିସର୍ଜନ ପାଇଁ ନିଆଯାଉଥିବା ଗଣେଶ ମୂର୍ତ୍ତିଟି ରାସ୍ତା ମଝିରେ ଅଟକି ରହିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିସର୍ଜନ ହୋଇନଥିବା ଗଣେଶ ମୂର୍ତ୍ତିକୁ ପୁଲିସ ଜଗି ରହିଛି। ଅନ୍ୟପଟେ ଘଟଣାକୁ ନେଇ ନିମିଢି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଥାନା ଘେରାଉ କରାଯିବ ବୋଲି ସ୍ଥାନୀୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଗଣ୍ଡଗୋଳର କାରଣ କ’ଣ ଏବଂ ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।














Leave a Reply