ରାଜଧାନୀରେ ପୁଣି ଖଣ୍ଡାର ତାଣ୍ଡବ! ଚନ୍ଦ୍ରଶେଖରପୁରରେ ଦୁଇ ଦିନରେ ଦ୍ୱିତୀୟ ଗ୍ୟାଙ୍ଗୱାର, ଆତଙ୍କରେ ଅଞ୍ଚଳବାସୀ

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଥରେ ଅପରାଧୀଙ୍କ ଖୋଲା ଆତଙ୍କ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ରକ୍ତାକ୍ତ ଗ୍ୟାଙ୍ଗୱାର ହୋଇଛି। ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଓ ଇଶାନେଶ୍ୱର ବସ୍ତିରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲି ଧରି ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲେ। ଦୁର୍ବୃତ୍ତମାନେ ଯାହାକୁ ପାଇଲେ ତାକୁ ଗୋଡ଼ାଇ ଆକ୍ରମଣ କରିଥିବାବେଳେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଘଟଣା ରାତି ପ୍ରାୟ ସାଢେ ୯ଟା ବେଳେ ଘଟିଥିଲା। ମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ବୁଦ୍ଧ ବିହାର ଅଞ୍ଚଳରେ ପହଞ୍ଚି ଅନିୟନ୍ତ୍ରିତ ଭାବେ ଆକ୍ରମଣ କରିଥିଲେ। ଖଣ୍ଡା ଓ ଭୁଜାଲି ଧରି ରାସ୍ତାରେ ଖୋଲାଖୋଲି ବୁଲିବା ସହ ଲୋକଙ୍କୁ ଭୟଭୀତ କରିଥିଲେ। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବାବେଳେ ଏହା କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପ୍ରାଥମିକ ସୂଚନା ଅନୁସାରେ, ଏହି ହିଂସାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି। ଗୋଟିଏ ଦିନ ପୂର୍ବରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କୁ ଆକ୍ରମଣ କରିଥିବାବେଳେ, ତାହାର ପ୍ରତିଶୋଧ ନେବାକୁ ପରଦିନ ବିରୋଧୀ ଗୋଷ୍ଠୀ ଏହି ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ମାତ୍ର ଦୁଇ ଦିନ ମଧ୍ୟରେ ସମାନ ଅଞ୍ଚଳରେ ଦୁଇଥର ଗ୍ୟାଙ୍ଗୱାର ଘଟିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ଘଟଣା ପରେ ଚନ୍ଦ୍ରଶେଖରପୁର ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସିସିଟିଭି ଫୁଟେଜ୍ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି। ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ ରାଜଧାନୀରେ ବାରମ୍ବାର ଘଟୁଥିବା ଗ୍ୟାଙ୍ଗୱାର ଘଟଣା କମିସନରେଟ ପୁଲିସର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial