ପୁଣି ମାତିଲେ ମନ୍ଦିର ଲୁଟେରା ! ୩ ଦିନରେ ୩ ବଡ଼ ମନ୍ଦିର ଟାର୍ଗେଟ୍, ରାମଚଣ୍ଡୀ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

ଅକ୍ଷର ବ୍ୟୁରୋ: ରାଜ୍ୟରେ ପୁଣି ସକ୍ରିୟ ହୋଇଛନ୍ତି ମନ୍ଦିର ଲୁଟେରା। ମାତ୍ର ୩ ଦିନ ମଧ୍ୟରେ ୩ଟି ବଡ଼ ମନ୍ଦିରରେ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଲଗାତାର ମନ୍ଦିର ଲୁଟ୍ ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଥିବା ବେଳେ ଦୁର୍ବୃତ୍ତମାନେ ଯେପରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ତାଜା ଘଟଣାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ର କୋଶଳା ଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ରାମଚଣ୍ଡୀ ମନ୍ଦିରରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କାର ଦାନ ଅର୍ଥ ଲୁଟି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚୋରିର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓକୁ ଆଧାର କରି ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜୋରଦାର କରିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୬ ମାସ ଧରି ମନ୍ଦିରର ହୁଣ୍ଡି ଖୋଲାଯାଇନଥିଲା। ଏହି ସମୟ ମଧ୍ୟରେ ଭକ୍ତମାନଙ୍କ ଦାନରେ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଜମା ହୋଇଥିଲା, ଯାହାକୁ ଦୁର୍ବୃତ୍ତମାନେ ଲକ୍ଷ୍ୟ କରି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲଗାତାର ମନ୍ଦିରରେ ଚୋରି ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଲୋକ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ୍‌କୁ ଆଧାର କରି ଦୁର୍ବୃତ୍ତଙ୍କ ସନ୍ଧାନ ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)