ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଆତଙ୍କରାଜ୍: ଯୁବକଙ୍କୁ ଲୁହା ରଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ, ଛାତିଥରା ଭିଡିଓ ଭାଇରାଲ୍

ଅକ୍ଷର ବ୍ୟୁରୋ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ପୁଣି ଦେଖିବାକୁ ମିଳିଛି ଅସାମାଜିକଙ୍କ ଦବଙ୍ଗଗିରି। ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ତଳେ ପକାଇ ଲୁହା ରଡ଼ ଓ ଠେଙ୍ଗାରେ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଛାତିଥରା ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବାବେଳେ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, କୋଣାର୍କ ଥାନା ଅଧୀନ ଧନିତ୍ରୀ ଗାଁର କମଳଲୋଚନ ବେହୁରା ଓ ତାଙ୍କ ବଡ଼ ଭାଇ ରଶ୍ମିରଞ୍ଜନ ବେହୁରା ବରପଦାସ୍ଥିତ ପିଉସୀ ଘରକୁ ଏକ ବାହାଘରରେ ଯୋଗଦେବାକୁ ଯାଇଥିଲେ। ବରଯାତ୍ରୀରୁ ଫେରୁଥିବା ସମୟରେ କୋଣାର୍କ ଇକୋ ରିଟ୍ରିଟ୍ ନିକଟରେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଅଟକାଇ ପ୍ରଥମେ ଗାଳିଗୁଲଜ କରିଥିଲେ। ପରେ ବଚସା ଉଗ୍ରରୂପ ନେବାରୁ ଅଭିଯୁକ୍ତମାନେ ଲୁହା ରଡ଼ ଓ ଠେଙ୍ଗାରେ ଦୁଇ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ କମଳଲୋଚନ ବେହୁରା ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ବଡ଼ ଭାଇ ରଶ୍ମିରଞ୍ଜନ ବେହୁରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ଘଟଣା ପରେ କୋଣାର୍କ ଥାନାରେ ଅଭିଯୋଗ ଦାଖଲ ହୋଇଥିବାବେଳେ ପୁଲିସ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅଭିଯୋଗ, ମେରାଇନ ଡ୍ରାଇଭ୍ ଭଳି ପର୍ଯ୍ୟଟନପ୍ରବଣ ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂର ଅଭାବ ଯୋଗୁଁ ଏଭଳି ହିଂସାକାଣ୍ଡ ବାରମ୍ବାର ଘଟୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial