ଅକ୍ଷର ବ୍ୟୁରୋ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଭୋରୁ ଦ୍ରୁତଗତିର ତାଣ୍ଡବ। ପିପିଲି ନିକଟରେ ଏକ ଥାର୍ ଗାଡ଼ିର ଭୟଙ୍କର ସିରିଜ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ସମେତ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଛି। ଘଟଣା ପରେ ପିପିଲି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଆଜି ଭୋରୁ ପୁରୀରୁ ଭୁବନେଶ୍ୱର ଆଡ଼କୁ ଏକ ଥାର୍ ଗାଡ଼ି ଦ୍ରୁତ ଗତିରେ ଯାଉଥିଲା। ଗାଡ଼ିରେ କିଛି ଯୁବକ ଥିବା ଜଣାପଡ଼ିଛି। ପିପିଲି ଟୋଲ୍ ପ୍ଲାଜା ନିକଟରେ ଗାଡ଼ିଟି ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିବା ଅଭିଯୋଗ ହୋଇଛି। ବ୍ୟାରିକେଡ୍ ଭାଙ୍ଗିବା ପରେ ଥାର୍ଟି ପମସର ଛକ ନିକଟରେ ପହଞ୍ଚିଥିବା ସମୟରେ ରାସ୍ତାରେ ଥିବା ଏକ ଷଣ୍ଢକୁ ଜୋର୍ଦାର ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ଷଣ୍ଢର ମୃତ୍ୟୁ ହୋଇଥିଲା। ଏଥିରେ ଦୁର୍ଘଟଣା ଥମିନଥିଲା। ଷଣ୍ଢକୁ ଧକ୍କା ଦେବା ପରେ ଥାର୍ ଗାଡ଼ିଟି ଫୁଲ ତୋଳିବା ପାଇଁ ରାସ୍ତାକଡ଼କୁ ଆସୁଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ରାଜପଥରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦୁର୍ଘଟଣାର ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥାର୍ ଗାଡ଼ିକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ, ଗାଡ଼ିର ବେଗ, ବ୍ୟାରିକେଡ୍ ଭାଙ୍ଗିବାର କାରଣ ଏବଂ ଚାଳକଙ୍କ ଭୂମିକା ସମ୍ପର୍କରେ ପିପିଲି ପୁଲିସ ତଦନ୍ତ ଜାରି ରଖିଛି। ଗାଡ଼ିରେ ଥିବା ଯୁବକମାନଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଏକ ଭୋର ସମୟରେ ଲଗାତାର ଧକ୍କା ଏବଂ ଦୁଇଟି ଜୀବନହାନି ପିପିଲି ଅଞ୍ଚଳରେ ସଡ଼କ ସୁରକ୍ଷା ନେଇ ପୁଣି ପ୍ରଶ୍ନ ଉଠାଇଛି।












Leave a Reply