ଭୁବନେଶ୍ୱର: ରାଜଧାନୀରେ ପୁଣି ଥାର୍ ଆତଙ୍କ। ରାତି ଅଧରେ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଏକ ଥାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ରାସ୍ତାକଡ଼ରେ ଥିବା ଏକ ପ୍ରତିମୂର୍ତ୍ତି ଭାଙ୍ଗିଯାଇଛି। ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ କିଛି ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଥାର୍ଟି ଦ୍ରୁତ ବେଗରେ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଯାଇଥିଲା। ଫଳରେ ରାସ୍ତାକଡ଼ରେ ଥିବା ପ୍ରତିମୂର୍ତ୍ତିରେ ଧକ୍କା ହୋଇ ଏହା ଭାଙ୍ଗିଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଗାଡ଼ି ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏଥିସହ ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ, ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ଅନ୍ୟପକ୍ଷରେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଫୁଟେଜ୍ ଆଧାରରେ ଥାର୍ର ଗତି, ଦୁର୍ଘଟଣା ପୂର୍ବର ପରିସ୍ଥିତି ଏବଂ ଘଟଣାର ସମ୍ପୂର୍ଣ୍ଣ କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି।














Leave a Reply