ଖରବାରେ ପହଞ୍ଚିଲା ଶେଷ ଜୁଆଙ୍ଗ ଯୁବତୀଙ୍କ ମୃତଦେହ; କାନ୍ଦରେ ଫାଟିପଡ଼ିଲା ଗାଁ, ଶୋକରେ ସ୍ତବ୍ଧ କେନ୍ଦୁଝର

ଅକ୍ଷର ବ୍ୟୁରୋ: ଏକାସାଙ୍ଗରେ ଏତେ ସଂଖ୍ୟକ ଜୁଆଙ୍ଗ ଯୁବତୀଙ୍କ ଅକାଳ ମୃତ୍ୟୁ ପରେ ଶୋକରେ ବୁଡ଼ିଥିବା କେନ୍ଦୁଝର ଜିଲ୍ଲାରେ ଆଜି ଆଉ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଶେଷ ମୃତକାଙ୍କ ମରଶରୀର ନିଜ ଗାଁରେ ପହଞ୍ଚିବା ପରେ ସମଗ୍ର ଖରବା ଗାଁ କାନ୍ଦରେ ଫାଟିପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବରୁ ମୃତ ୧୨ ଜଣ ଜୁଆଙ୍ଗ ଯୁବତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ, ଆଜି ହରିଚନ୍ଦନପୁର ବ୍ଲକ୍‌ର ଖରବା ଗ୍ରାମର ଶେଷ ମୃତକାଙ୍କ ମରଶରୀର ନିଜ ଗାଁରେ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ମାତ୍ରେ ପରିବାର ଲୋକଙ୍କ ବିଳାପରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ନିଜ ଝିଅକୁ ଶେଷ ଥର ପାଇଁ ଦେଖିବାକୁ ପରିବାର ସଦସ୍ୟଙ୍କ ସହ ଶହ ଶହ ଗ୍ରାମବାସୀ ଏକାଠି ହୋଇଥିଲେ। ମୃତଦେହ ନିକଟରେ ମା’–ବାପା ଓ ସମ୍ପର୍କୀୟଙ୍କ କୋହଭରା କାନ୍ଦ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।

ଏକାସାଙ୍ଗରେ ଏତେ ସଂଖ୍ୟକ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟଣା ସମଗ୍ର କେନ୍ଦୁଝର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ଶେଷ ମୃତଦେହ ଗାଁରେ ପହଞ୍ଚିବା ସହ ଖରବା ଗ୍ରାମରେ ଶୋକର ଛାୟା ଆହୁରି ଗଭୀର ହୋଇଛି। ଚାରିଆଡ଼େ କେବଳ ଲୁହ, କୋହ ଓ ନିରବତାର ପରିବେଶ ଦେଖିବାକୁ ମିଳିଛି। ଏହି ଦୁଃଖଦ ଘଟଣା କେବଳ ଗୋଟିଏ ପରିବାରର ନୁହେଁ, ବରଂ ସମଗ୍ର ଜୁଆଙ୍ଗ ସମ୍ପ୍ରଦାୟ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଛି। ଶେଷ ମୃତଦେହ ଗାଁରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ଆଖିରେ ଲୁହ ସହ ମନରେ ଅନେକ ଅନୁତ୍ତରିତ ପ୍ରଶ୍ନ ଛାଡ଼ିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)