ଅକ୍ଷର ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରକୁ ପୂରିଲା ୭୯ ବର୍ଷ । ୧୯୪୮ ମସିହାରୁ ପ୍ରତିବର୍ଷ ଆଜିର ଦିନରେ ପାଳିତ ହୋଇଆସୁଛି ରାଜଧାନୀ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ସେବେଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ “ଭୁବନେଶ୍ୱର ପ୍ରତିଷ୍ଠା ଦିବସ” ବା “ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳିତ ହୋଇଥାଏ । ଏହି ଅବସରରେ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠା । ଲୋକ ଭବନ, ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁ ଝଲସି ଉଠୁଛି । ରାଜଧାନୀର ପ୍ରମୁଖ ଛକ ଗୁଡିକର ସୁନ୍ଦର ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରୁଛି । ଆଜି ବିଧାନସୌଧ ସମ୍ମୁଖରେ ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ରଙ୍ଗାରଙ୍ଗ ପ୍ୟାରେଡ୍ ଓ ସାଧାରଣ ସଭା ଅନୁଷ୍ଠିତ ହେବ ।
ଏହି ସହର ପାଖାପାଖି ଦୁଇ ହଜାର ବର୍ଷର ପୁରୁଣା ସହର ବୋଲି କୁହାଯାଏ । ଭୁବନେଶ୍ୱର ମନ୍ଦିରମାଳିନୀ ସହର ଭାବେ ମଧ୍ୟ ଏହା ଜଣାଶୁଣା । ଯାହା ଇତିହାସ ପୃଷ୍ଠାରେ ଏକାମ୍ର ନାମରେ ମଧ୍ୟ ଜଣାଶୁଣା । ଏପ୍ରିଲ ୧୩ ତାରିଖ ୧୯୪୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ । ସେବେଠାରୁ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓଡିଶାର ରାଜଧାନୀ ପାଲଟିଥିଲା । ବିଗତ ୭୮ ବର୍ଷ ମଧ୍ୟରେ ଭୁବନେଶ୍ୱର ସହରରେ ଅନେକ କିଛି ବଦଳିଛି । ବିଶ୍ୱବ୍ୟାପୀ ରାଜଧାନୀ ଭୁବନେଶ୍ୱରର ଖ୍ୟାତି ବଢ଼ିଛି । ବିକାଶ ପଥରେ ବହୁତ ଆଗକୁ ଯାଇଥିଲେ ବି ଆଜି ବି ଅନେକ ସମସ୍ୟା ମୁଣ୍ଡ ଟେକି ଠିଆ ହୋଇଛି । ଶିକ୍ଷା ଭିତ୍ତିଭୂମି ବୃଦ୍ଧି ସହ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରି ଭୁବନେଶ୍ୱର ପ୍ରଶଂସା ସାଉଁଟିଛି । ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ସହ ଯୋଡ଼ିହୋଇଛି । ଯେଉଁଥିପାଇଁ ୨୦୧୪ ମସିହାରେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା ଭୁବନେଶ୍ୱର ।












Leave a Reply