ଅକ୍ଷର ବ୍ୟୁରୋ: ଆଜିଠାରୁ ମା’ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଏହା ଏକ ପ୍ରସିଦ୍ଧ ଯାତ୍ରା । ଆଜିଠାରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ମା’ ତାରିଣୀଙ୍କର ୯୦ତମ ଚଇତି ପର୍ବ । ୭ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ ମାତାରିଣୀଙ୍କ ପୀଠ । ଚଇତି ପର୍ବ ଅବସରରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର, ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ କରାଯାଇଥିଲା । ପରେ ମାଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ, ଚିତା, ସୁନାର ମୁଖ, ହୀରାର ନୋଥ ରେ ମାଙ୍କୁ ଆଭୂଷଣ କରି ବଡସିଂହାର ବେଶ କରାଯାଇଥିଲା । ରୀତିନୀତି ଅନୁସାରେ ଷୋଡଶ ଉପଚାରରେ ମାଆଙ୍କ ପୂଜା କରାଯିବ । ୭ଦିନ ଧରି ମା’ ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ପ୍ରତିଦିନ ମନ୍ଦିର ଭିତରେ ଭାଗବତ ପାଠ, ଚଣ୍ଡୀପାଠ ହେବା ସହ, ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଚଇତି ପର୍ବର ୬ଷ୍ଠ ଦିନ, ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।
ଆଜିଠାରୁ ଆରମ୍ଭ ମା’ ତାରିଣୀଙ୍କ ଚଇତି ପର୍ବ; ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ।












Leave a Reply