ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପ୍ରସିଦ୍ଧ ଶାରଦୀୟ ରଥଯାତ୍ରା। ମା’ଙ୍କ ନବଦିବସୀୟ ରଥଯାତ୍ରାକୁ ନେଇ ସମଗ୍ର ଯାଜପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଥମେ ରଥପୂଜା ଓ ରଥପ୍ରତିଷ୍ଠା ସମ୍ପନ୍ନ ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଭକ୍ତିମୟ ପରିବେଶରେ ରଥଟଣା ଆରମ୍ଭ ହୋଇଥିଲା। ରଥରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ୱାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି ଓ ସରୋଜ ପତିଙ୍କ ସମେତ ଅନ୍ୟ ପୁରୋଧାମାନେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ରଥପୂଜା ଓ ରଥପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହାପରେ ମା’ଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହେବା ସହ ରଥଯାତ୍ରା ଆରମ୍ଭ ହୋଇଥିଲା।
ପରମ୍ପରା ଅନୁଯାୟୀ, ଆଜିଠାରୁ ଆସନ୍ତା ଆଠ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ମା’ଙ୍କ ରଥ ମନ୍ଦିର ବେଢ଼ା ପରିକ୍ରମା କରିବ। ନଅ ଦିନ ଧରି ଚାଲିବାକୁ ଥିବା ଏହି ପବିତ୍ର ଉତ୍ସବରେ ମା’ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ଆଗମନ ହେଉଛି।
ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ମା’ ବିରଜାଙ୍କ ଶାରଦୀୟ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ କହିଛନ୍ତି। ରଥଯାତ୍ରାରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୀତିକଣ୍ଠ କାନୁନଗୋ, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡାଙ୍କ ସମେତ ବହୁ ସରକାରୀ ଅଧିକାରୀ ଯୋଗଦେଇ ରଥ ଟାଣିଥିଲେ। ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହ ମଧ୍ୟରେ ମା’ ବିରଜାଙ୍କ ଏହି ପବିତ୍ର ରଥଯାତ୍ରା ଆରମ୍ଭ ହୋଇଛି।














Leave a Reply