ଅକ୍ଷର ବ୍ୟୁରୋ: ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶକ୍ତିଶ୍ରୀ ମୋବାଇଲ ଆପ୍ ଲଞ୍ଚ୍ । ଏହି ଆପ୍କୁ ଶିକ୍ଷାର୍ଥୀମାନେ ମୋବାଇଲ୍ରେ ଡାଉନ୍ଲୋଡ୍ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏସମ୍ପର୍କରେ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି ।
ଏହି ଆପ୍ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ । ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ ସଙ୍ଗେ ଲାଇଭ୍ ଲୋକେସନ୍ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି । ଜରୁରୀକାଳୀନ ଫୋନ୍ ସୁବିଧା ମଧ୍ୟ ରହିଛି । ପ୍ରତିଦିନ କିପରି ନିଜର ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍ରେ ମଧ୍ୟ ପ୍ରଶିକ୍ଷଣ ମିଳିପାରିବ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପଢ଼ୁଛନ୍ତି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ମୋବାଇଲ ଫୋନ୍ରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଯେପରି ଏହି ଆପ୍ ଇନ୍ଷ୍ଟଲ ହେବ ଆଉ ତାର ଉପଯୋଗ କରିବେ ତାକୁ ସୁନିଶ୍ଚିତ କରାଅ ବୋଲି ନିର୍ଦ୍ଦେଶ ଦେଇଛି ବିଭାଗ । ଏହାକୁ ଗୁରୁତ୍ୱର ସହ ନେବାକୁ କୁହାଯାଇଛି । ଏହା ବାବଦରେ ନୋଟିସ୍ ପ୍ରକାଶ କରିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଦିଗ୍ଦର୍ଶନ କାର୍ଯ୍ୟକ୍ରମ, କ୍ଲାସରୁମ୍ କମ୍ୟୁନିକେସନ୍, ହ୍ୱାଟସ୍ଆପ୍ ଗ୍ରୁପ ଆଦିରେ ଏହାର ପ୍ରଚାର ପ୍ରସାର କରାଇବାକୁ କୁହାଯାଇଛି । ଏହି ଆପ୍ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ ।












Leave a Reply