ରାଜଧାନୀରେ ସ୍ୱାଭାବିକ ହେବାରେ ଲାଗିଛି ସ୍ଥିତି; ଏବେ ପେଟ୍ରୋଲ ପମ୍ପରେ ଯିଏ ଯେତିକି ତେଲ ମାଗୁଛି, ସେତିକି ତେଲ ମିଳୁଛି ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ସ୍ୱାଭାବିକ ହେବାରେ ଲାଗିଛି ସ୍ଥିତି । ଦୁଇ ତିନି ଦିନର ଭିଡ଼ ପରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ତେବେ ସମ୍ପୂର୍ଣ୍ଣ ଭାବେ ଟଳିନି ତେଲ ସଙ୍କଟ । ଆଜି ବି ସକାଳୁ ଭୁବନେଶ୍ୱରର କିଛି କିଛି ପେଟ୍ରୋଲ ପମ୍ପରେ ସାମାନ୍ୟ ଭିଡ ଦେଖିବାକୁ ମିଳିଛି । ଡିପୋରେ ଲୋଡିଂ ବିଳମ୍ବ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ଯୋଗାଣ । ଏବେ ପେଟ୍ରୋଲ ପମ୍ପରେ ଯିଏ ଯେତିକି ତେଲ ମାଗୁଛି, ସେତିକି ତେଲ ମିଳୁଛି । ତେଲ ସଂକଟ ଆଗକୁ ଭୟଙ୍କର ରୁପ ନେବ ବୋଲି ଲୋକଙ୍କ ମନରେ ବସା ବାନ୍ଧିଥିବା ଭୟ ବି ତୁଟିଛି । ଡିପୋରେ ତେଲ ପାଇଁ ଟ୍ୟାଙ୍କର ଲାଇନ ଲଗାଉଥିବାରୁ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନଥିଲା ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ୍ । ଯେଉଁଥିପାଇଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା ।

ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିପାରେ ବୋଲି ଆଶ୍ବାସନା ଦେଇଥିଲେ ତୈଳ ବିତରଣ କମ୍ପାନୀ । ଏବେ କିନ୍ତୁ ଧିରେ ଧିରେ ସ୍ଥିତି ସ୍ବାଭାବିକ ହେଉଥିବା ଦେଖିବାକୁ ମିଳିଛି ।  ତେବେ କେତେକ ପେଟ୍ରୋଲ ପମ୍ପ ମଧ୍ୟ ଖାଲି ପଡିଛି । ପେଟ୍ରୋଲ ଅଛି କିନ୍ତୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳିଛି । ଗୁଜବ ପ୍ରଚାର ଯୋଗୁଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଗତ ଦୁଇ ଦିନ ହେଲା ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଯୋଗାଣ ମନ୍ତ୍ରୀ ଓ ଆଇଓସିଏଲଙ୍କ ମଧ୍ୟରେ ବୈଠକ ପରେ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ମହଜୁଦ ଥିବା ନେଇ ପ୍ରତିଶ୍ରୁତି ଦେଇଥିଲେ ସରକାର । ଏହାପରେ ଆଇଓସିଏଲ ମଧ୍ୟ ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସ୍ଥିତିରେ ସୁଧାର ଆସୁଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)