ଅକ୍ଷର ବ୍ୟୁରୋ: ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଏବଂ ଗୌରବମୟ ଦିନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକାଠି ଓଡ଼ିଶା ଗସ୍ତକୁ ନେଇ ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଓଡ଼ିଶାର ଭବିଷ୍ୟତ ବିକାଶ, ବିନିଯୋଗ ଏବଂ ନିଯୁକ୍ତି ସମ୍ଭାବନା ନେଇ ଏକ ବଡ଼ ବାର୍ତ୍ତା ଦେଇଛନ୍ତି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଉପରେ ଦୃଢ଼ ବିଶ୍ୱାସ ରହିଛି। ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଏବଂ ସମୃଦ୍ଧ ଓଡ଼ିଶା ଗଠନ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକ ଲକ୍ଷ୍ୟ। ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାଠି ଓଡ଼ିଶା ମାଟିରେ ଉପସ୍ଥିତ ରହିବା ରାଜ୍ୟ ପାଇଁ ଏକ ଅସାଧାରଣ ଗୌରବର ବିଷୟ। ଏହା କେବଳ ଏକ ଔପଚାରିକ ଗସ୍ତ ନୁହେଁ, ବରଂ ଓଡ଼ିଶାର ବଢ଼ୁଥିବା ଗୁରୁତ୍ୱ ଏବଂ ବିକାଶ ଯାତ୍ରା ପ୍ରତି କେନ୍ଦ୍ର ସରକାରଙ୍କ ବିଶେଷ ଆଗ୍ରହର ପ୍ରତିଫଳନ।
ମୋହନ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଶିଳ୍ପ, ଭିତ୍ତିଭୂମି, କୃଷି, ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ କାର୍ଯ୍ୟ ଆଗକୁ ବଢ଼ୁଛି। ବୃହତ ବିନିଯୋଗ ଆକର୍ଷିତ ହେଉଥିବାରୁ ଆଗାମୀ ଦିନରେ ରାଜ୍ୟରେ ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଯୁବପିଢ଼ୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ଏବଂ ଚାକିରି ଖୋଜି ଅନ୍ୟ ରାଜ୍ୟକୁ ଯିବାର ପ୍ରବୃତ୍ତି ଧୀରେ ଧୀରେ କମିଯିବ। ଏମିତି ସମୟ ଆସିବ ଯେତେବେଳେ ଓଡ଼ିଶାର ଯୁବକ-ଯୁବତୀମାନେ ନିଜ ରାଜ୍ୟରେ ରହି ଚାକିରି କରିବେ ଏବଂ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ରୋଜଗାର ପାଇଁ ଓଡ଼ିଶାକୁ ଆସିବେ। ଏହା ସହିତ ସେ ଦାବି କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିକାଶମୂଳକ ନୀତି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ଲକ୍ଷ୍ୟ ସଫଳ ହେବ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଓଡ଼ିଶାର ବିକାଶ ଯାତ୍ରାକୁ ନୂଆ ଗତି ପ୍ରଦାନ କରିବ। ବୃହତ ପ୍ରକଳ୍ପ, ନୂଆ ବିନିଯୋଗ ଏବଂ ରୋଜଗାର ସୃଷ୍ଟି ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ସାକାର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।












Leave a Reply