ଶ୍ରାବଣର ତୃତୀୟ ସୋମବାର: ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ଭକ୍ତିମୟ ଭୁବନେଶ୍ୱର

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଅବସରରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ସକାଳୁ ସକାଳୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ରେ ମନ୍ଦିର ପରିସର ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରାବଣ ସୋମବାରରେ ମହାଦେବଙ୍କ ଉପାସନାର ବିଶେଷ ମହତ୍ତ୍ୱ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥାକୁ ସୁସଂଗଠିତ କରାଯାଇଛି। ସେହିପରି ଭିଡ଼ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ନଜର ରହିଛି। ଶ୍ରାବଣର ତୃତୀୟ ସୋମବାରରେ ‘ହର ହର ମହାଦେବ’ ଧ୍ୱନିରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆସ୍ଥା ଓ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial