ବ୍ରହ୍ମପୁରରେ ତିନୋଟି ଏନକାଉଣ୍ଟର; ବଡ଼ବଜାର ଥାନାଞ୍ଚଳରେ ଗୋଟିଏ ଏନକାଉଣ୍ଟର ହୋଇଥିବା ବେଳେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଟି ଏନକାଉଣ୍ଟର ହୋଇଛି ।

ଅକ୍ଷର ବ୍ୟୁରୋ: ବ୍ରହ୍ମପୁରରେ ଗୋଟିଏ ଦିନରେ ତିନୋଟି ଏନକାଉଣ୍ଟର । ରବିବାର ରାତିରେ ବଡ଼ବଜାର ଥାନାଞ୍ଚଳରେ ଘଟିଥିବା ଘଟଣାରେ ଗୋଟିଏ ଏନକାଉଣ୍ଟର ହୋଇଥିବା ବେଳେ ଆଉ ଦୁଇଟି ଏନକାଉଣ୍ଟର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ଘଟଣାରେ ହୋଇଛି । ବଡ଼ବଜାର ଘଟଣାର ୫ ଘଣ୍ଟା ମଧ୍ୟରେ ଅର୍ଥାତ ସୋମବାର ଭୋର ସମୟରେ ଜଗନ୍ନାଥ ସାହୁ ଓରଫ ଜଗାକୁ ପୋଲିସ ଏନକାଉଣ୍ଟର କରିଥିଲା । ପୁଣି କେଇ ଘଣ୍ଟା ପରେ ଅର୍ଥାତ ସୋମବାର ରାତି ୧୨ଟାରେ ଆଉ ଦୁଇ ଜଣଙ୍କୁ ଏନକାଉଣ୍ଟର ହୋଇଛି । ଏମାନେ ଥିଲେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ।

ବ୍ରହ୍ମପୁର ବଡ଼ବଜାର ଥାନା ଅମ୍ବିକା ନଗର ଛକ ବିଚ୍‌ ରାସ୍ତାରେ ରବିବାର ରାତି ୯ଟାରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ କେତେ ଜଣ ଦୁର୍ବୃତ୍ତ ହାଣୁଥିବାର ଭିଡିଓ ଭାଇରଲ ହୋଇଥିଲା । ଅପରାଧ ଘଟିବାର ମାତ୍ର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗନ୍ନାଥ ସାହୁ ଓରଫ ଜଗାକୁ ଏନ୍‌କାଉଣ୍ଟର କରିଛି ପୋଲିସ୍‌ । ରାତିରେ ପୋଲିସ ଟିମ୍‌ ଜଗାକୁ କାବୁ କରିଥିଲା । ତାକୁ ସାଙ୍ଗରେ ନେଇ ବାଉରି ସୁକୁଣ୍ଡା ଅଞ୍ଚଳକୁ ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ । ରାତି ପ୍ରାୟ ୨ଟା ୩୦ରେ ଜଗା ପୋଲିସକୁ ଚକ୍‌ମା ଦେଇ ଖସିଯିବା ସହ ବୋମା ଫିଙ୍ଗିଥିଲା । ଆତ୍ମରକ୍ଷା ପାଇଁ ପାଲଟା ଜବାବ୍‌ ଦେଇଥିଲା ପୋଲିସ ଟିମ୍‌ । ଜଗାର ଦୁଇ ଆଣ୍ଠୁରେ ବାଜିଛି ଗୁଳି । ଜଗାକୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସରବଣା ବିବେକ ଏମ୍‌ ।

ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ସୋମବାର ରାତି ୧୨ଟାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ କରିଛି । ସେମାନେ ହେଲେ ବଡ଼ଗଡ଼ ଥାନା ନୂଆଗାଁ ର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍‌ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ.ସରବଣା ବିବେକ ଏମ୍‌ କହିଛନ୍ତି ପ୍ଲଟ୍‌ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି ।ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ । ପୋଲିସ ଏମାନଙ୍କୁ ଖୋଜୁଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)