ଚୋରଙ୍କ ଟାର୍ଗେଟରେ ତିନି ତିନିଟି ମନ୍ଦିର; ଗୋଟିଏ ରାତିରେ ଲୁଟିନେଲେ ସୁନା-ରୁପା ଅଳଙ୍କାର, ଗାଁରେ ଆତଙ୍କ

ଅକ୍ଷର ବ୍ୟୁରୋ: ପୁଣି ଥରେ ଚୋରଙ୍କ ଟାର୍ଗେଟରେ ମନ୍ଦିର। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ପଞ୍ଚାୟତର ବେଗୁନିଆ ଗ୍ରାମରେ ଘଟିଛି ଏକ ବଡ଼ ଚୋରିକାଣ୍ଡ। ଏକକାଳୀନ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗାଁର ରାଧାକୃଷ୍ଣ ମନ୍ଦିର, ମା’ ସର୍ବମଙ୍ଗଳା ମନ୍ଦିର ଏବଂ ମା’ ବରୁଣେଇ ମନ୍ଦିରକୁ ଚୋରମାନେ ଟାର୍ଗେଟ୍ କରିଥିଲେ। ମନ୍ଦିରଗୁଡ଼ିକରୁ ସୁନା ମୁକୁଟ, ଠାକୁରଙ୍କ ସୁନା ବଂଶୀ, ସୁନା ଚିତା, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ପୂଜା ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସକାଳେ ମନ୍ଦିର ଖୋଲିବା ପରେ ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରୁ ପ୍ରମାଣ ସଂଗ୍ରହ କରିବା ସହ ଚୋରମାନଙ୍କ ସନ୍ଧାନରେ ତଦନ୍ତ ଜୋରଦାର କରିଛି।

ତେବେ ଗୋଟିଏ ରାତିରେ ପରପରି ୩ଟି ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଅଞ୍ଚଳବାସୀ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଫରେନସିକ୍ ବିଶେଷଜ୍ଞଙ୍କୁ ନିୟୋଜିତ କରିବାକୁ ଦାବି କରିଛନ୍ତି। ଏକାଧିକ ମନ୍ଦିରକୁ ଟାର୍ଗେଟ୍ କରି ସଂଗଠିତ ଢଙ୍ଗରେ ଚୋରି କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଏହି ଘଟଣାରେ କୌଣସି ପେସାଦାର ଚୋର ଗ୍ୟାଙ୍ଗର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)