ରାଜ୍ୟରେ କାଳବୈଶାଖୀର ତାଣ୍ଡବ; ବଜ୍ରାଘାତ ନେଲାଣି ୧୪ ଜୀବନ

ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ଏହି ୮ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗତକାଲି କାଳବୈଶାଖୀର ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ନେଇଛି ୧୪ ଜୀବନ । କେବଳ କୋରାପୁଟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁରରେ ଆଈ ନାତୁଣୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମିଳିଗୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୨ଜଣ ନାବାଳକ ପ୍ରାଣ ହରାଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଗଁଦିଆ ବ୍ଲକରେ ୨ ଜଣଙ୍କର ଜୀବନ ଯାଇଛି । ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶ୍ରମିକ ବଜ୍ରପାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ବେଲଗୁଣ୍ଠାରେ ୨ ଜଣଙ୍କର ଜୀବନ ନେଇଛି ବଜ୍ରପାତ । ଗଜପତି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ନରସିଂହପୁରରେ ଜଣେ ନାବାଳକଙ୍କର ବଜ୍ରାଘାତରେ ଯାଇଛି ଜୀବନ । ସେପଟେ ରାଉରକେଲାରେ ବଜ୍ରପାତରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ସୀମାନ୍ତ ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିଲେ ୪ ଜଣ ସିଆରପିଏଫ ଯବାନ । ସେମାନଙ୍କ ମଧ୍ୟରୁ ଆଜି ଚିକିତ୍ସା ବେଳେ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ମୃତ ଯବାନ ଏମ.ପି.ସିଂହ । ସେ ସିଆରପିଏଫ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ଭାବରେ ନିଯୁକ୍ତ ଥିଲେ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)