ଅକ୍ଷର ବ୍ୟୁରୋ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଆଜିଠାରୁ ଅନଲାଇନରେ ମିଳିବ ଟିକେଟ୍ । ସେଥିଲାଗି ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଡିସେମ୍ବର ୯ତାରିଖରେ କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛି କଟକର ବାରବାଟୀ ଷ୍ଟାଡିୟମ୍ । ଚଳିତ ବର୍ଷ ୪୨ହଜାର ଦର୍ଶକ ମ୍ୟାଚ ଦେଖିପାରିବେ । ତେବେ ୨୩ହଜାର ଟିକେଟ ବିକ୍ରି କରାଯିବ, ୧୮ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍ ଦିଆଯିବ । ଟିକଟକୁ ନେଇ ଓସିଏ ସମ୍ପାଦକ ବେହେରା କହିଛନ୍ତି ଯେ, ଗତ ଫେବୃଆରୀ ୯ରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦର୍ଶକଙ୍କ କ୍ଷମତା ୪୪,୫୦୦ ରହିଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ ଲାଗି ଦର୍ଶକ କ୍ଷମତା ୪୨ ହଜାରକୁ ହ୍ରାସ କରାଯାଇଛି ।
ପୂର୍ବ ମ୍ୟାଚଠାରୁ ୨୫୦୦ ଟିକଟ ହ୍ରାସ କରାଯାଇଛି । ଦର୍ଶକଙ୍କ ସୁରକ୍ଷା ଓ ଦୀର୍ଘ ବର୍ଷର ଗ୍ୟାଲେରୀ ହୋଇଥିବାରୁ ଦର୍ଶକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ କରାଯାଇଛି । ଅନ୍ୟପକ୍ଷରେ ଗତ ମ୍ୟାଚରେ ରହିଥିବା ଟିକଟ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ଗତ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଟିକଟ ଦର ଯାହା ରହିଥିଲା ତାହା ଅପରିବର୍ତ୍ତିତ ରହିଛି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା । ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟି ଟିକେଟ ପ୍ରଦାନ କରିଥିଲେ । ଓସିଏ ଓ ଓଡ଼ିଶା ପୁଲିସ ପକ୍ଷରୁ ମ୍ୟାଚ ପାଇଁ ସଫଳ ଆୟୋଜନ ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।












Leave a Reply