ଅକ୍ଷର ବ୍ୟୁରୋ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ଲୀଳାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଅଣସର ଦଶମୀ ଅବସରରେ ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ। ଦଇତାପତି ସେବାୟତଙ୍କ ଗୁପ୍ତ ସେବା ଓ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ଜ୍ୱରର ତାତି ଓହ୍ଲାଇଥିବା ବିଶ୍ୱାସ ରହିଛି। ତେଣୁ ଆଜିର ଚକାବିଜେ ନୀତି ଅଣସର ପର୍ବର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ମନାଯାଏ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ ଘଟ ଜଳରେ ମହାସ୍ନାନ ପରେ ଶ୍ରୀଜିଉମାନେ ଅସୁସ୍ଥ ହୋଇ ଅଣସର ଘରେ ବିରାଜମାନ ଅଛନ୍ତି। ଗତ କିଛି ଦିନ ଧରି ଦଇତାପତି ସେବାୟତମାନେ ଗୁପ୍ତ ଭାବେ ଔଷଧୀୟ ସେବା, ଫୁଲୁରୀ ତେଲ ଲାଗି ଓ ଓଷ ଲାଗି ନୀତି ସମ୍ପନ୍ନ କରିଛନ୍ତି। ଆଜି ଦଶମୀ ତିଥିରେ ମହାପ୍ରଭୁ ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ।
ଅନ୍ୟପଟେ, ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପବିତ୍ର ଦଶମୂଳ ମୋଦକ ଆଜି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦରେ ଜମା ଦିଆଯିବ। ଆସନ୍ତାକାଲି ଶ୍ରୀଜିଉମାନେ ଏହି ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଶ୍ରୀମନ୍ଦିର ପରମ୍ପରାରେ ବିଶ୍ୱାସ ରହିଛି।
ଆଜି ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଜୟ-ବିଜୟ ଦ୍ୱାର ବନ୍ଦ କରାଯିବ ଏବଂ ବେହେରଣ ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହେବ। ଦଇତାପତି ସେବାୟତମାନେ ଶ୍ରୀଜିଉମାନଙ୍କୁ ଚକା ଉପରେ ବିଜେ କରାଇବା ପରେ ଚକଟା ଓ ପଣା ଭୋଗ ଲାଗି କରାଯିବ। ଏହା ସହିତ ଅଣସର ଦଶମୀର ନୀତି ସମ୍ପୂର୍ଣ୍ଣ ହେବ।ଚକାବିଜେ ନୀତି ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତମାନଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି। ଶ୍ରୀକ୍ଷେତ୍ରରେ ଏବେ ଅଣସର ନୀତିକୁ ନେଇ ଆଧ୍ୟାତ୍ମିକ ପରିବେଶ ଅଧିକ ଗାଢ଼ ହୋଇଉଠିଛି।












Leave a Reply