ଅକ୍ଷର ବ୍ୟୁରୋ: ଆଜି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସି ନେତା । ଏଥିସହ କିଛି ବିଧାୟକ, ସାଂସଦ, ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିବା କିଛି ବିଧାୟକ ବି ସାମିଲ୍ ହୋଇଛନ୍ତି । ଆଜି ରାଜଧାନୀରେ ଦେଖିବାକୁ ମିଳିବ ପାୱାର ସୋ’ । ଓୟୁଏଟି ସମ୍ମିଳନୀ କକ୍ଷରେ ଏକାଠି ହେବେ ଶହଶହ ବିଜୁ ପ୍ରେମୀ । ରାଜ୍ୟସଭା ସାଂସଦ ଦିଲୀପ ରାୟ, ବିଜୟ ମହାପାତ୍ର, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଭେଟେରାନ୍ ନେତା ସାମିଲ୍ ହେବେ । ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ପ୍ରମୁଖ ଏହି ମଞ୍ଚରେ ଏକତ୍ରିତ ହେବେ । ଏହି ସଭାରେ ବହୁ ବରିଷ୍ଠ ନେତାଙ୍କ ସମେତ ଆଇନଜୀବୀ, ବୁଦ୍ଧିଜୀବୀ ଓ ବିଭିନ୍ନ ଜିଲ୍ଲାରୁ ବିଜୁ ପ୍ରେମୀ ଯୋଗ ଦେବେ । ୪ ଘଣ୍ଟା ଧରି ଚାଲିବ ଚର୍ଚ୍ଚା, ଆଲୋଚନା ।
ଆଉ ଯାହା ନିଷ୍କର୍ଷ ବାହାରିବ, ତାହା ରାଜ୍ୟ ରାଜନୀତିକୁ ଦେବ ନୂଆ ଦିଶା । ତେଣୁ ଏହି ସମାବେଶ ପରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇପାରେ । ରାଜ୍ୟସଭା ନିର୍ବାଚନ ପରେ ସକ୍ରିୟ ହୋଇଛନ୍ତି ବିଜୁ ଲିଗାସି ଏବଂ ବିଜେଡି ଉପରେ ଆଖି ରଖିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମଞ୍ଚ ନୂଆ ଅବତାରରେ ଆସିପାରେ । ସେପଟେ ବିଜୁ ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳିତ ହେବ । କାର୍ଯ୍ୟକ୍ରମରେ ଦଳର ଛାମୁଆ ସଂଗଠନର ନେତୃତ୍ୱ ମାନେ ଯୋଗଦେବେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିବା ସହିତ ତାଙ୍କ ତିରୋଧାନ ଦିବସରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ମଧ୍ୟ ଭୁବନେଶ୍ୱର ଜିଲ୍ଲା ବିଜେଡି ତରଫରୁ ପ୍ରତିବର୍ଷ ପରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ବିନ୍ଦୁ ସାଗର ଠାରେ ତିଳ ତର୍ପଣ କାର୍ଯ୍ୟକ୍ରମ ହେବ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ହେବ । ଶଙ୍ଖ ଭବନ୍ ଠାରେ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାପଡ଼ିଛି ।












Leave a Reply