ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଉଥିବା ଏକ ପରିବାରର କାର ପାହାଡ଼ରୁ ପ୍ରାୟ ୩୦୦ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।ଏହି ଅଘଟଣ କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଘାଟିରେ ଘଟିଛି।
ସୂଚନା ଅନୁସାରେ, ଦସମନ୍ତପୁର ବ୍ଲକର ଲୁଲା ଗ୍ରାମର ଦିଲ୍ଲୀପ ବିଶୋଇ ଏବଂ ତାଙ୍କ ପରିବାର ପ୍ରସିଦ୍ଧ ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ କାର ଯୋଗେ ଯାତ୍ରା କରୁଥିଲେ। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଲଛମଣି ଘାଟିର ବିପଜ୍ଜନକ ମୋଡ଼ରେ କାରଟି ହଠାତ୍ ଭାରସାମ୍ୟ ହରାଇଥିଲା। ଏହାପରେ କାରଟି ପାହାଡ଼ରୁ ପ୍ରାୟ ୩୦୦ ଫୁଟ ତଳକୁ ଖସି ପଡ଼ିଥିଲା, ଫଳରେ ଗାଡ଼ିରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲଛମଣି ଗ୍ରାମବାସୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତମାନଙ୍କୁ ଖାତରୁ ବାହାର କରିଥିଲେ।
ପରେ ସମସ୍ତଙ୍କୁ କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଦିତ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। କାକିରିଗୁମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପାହାଡ଼ିଆ ରାସ୍ତାରେ ଅତ୍ୟଧିକ ବେଗ କିମ୍ବା ଭାରସାମ୍ୟ ହରାଇବା ଏହି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।














Leave a Reply