ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କାର-ହାଇୱା ଧକ୍କାରେ ୨ ମୃତ

ଅକ୍ଷର ବ୍ୟୁରୋ: ବ୍ରତୋପନୟନ ଉତ୍ସବରେ ଯୋଗଦେବାକୁ ଯାଉଥିବା ପରିବାରର ଖୁସି ମୁହୂର୍ତ୍ତ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଶୋକରେ ପରିଣତ ହୋଇଛି। କେନ୍ଦ୍ରାପଡ଼ାରୁ ଏକ କାରରେ ଆସୁଥିବା ବେଳେ କମଳାଦେଇପୁର ନିକଟରେ ହାଇୱା ସହ ଧକ୍କା ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଦୁଇ ଗୁରୁତର ଆହତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାରୁ ଏକ ପରିବାର ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ କାରରେ ଯାତ୍ରା କରୁଥିଲେ। ମାତ୍ର କମଳାଦେଇପୁର ନିକଟରେ ସେମାନଙ୍କ କାର ଏକ ହାଇୱା ସହ ଭୟଙ୍କର ଭାବେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଗୁରୁତର ଆହତ ୩ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା।

ତେବେ ଆହତମାନଙ୍କ ମଧ୍ୟରୁ ଆଲୋକ କରଙ୍କ ନରସିଂହପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ସୁକାନ୍ତ ନନ୍ଦଙ୍କର ମଧ୍ୟ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଫଳରେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏକ ପାରିବାରିକ ଧାର୍ମିକ ଉତ୍ସବକୁ ଯାଉଥିବା ବେଳେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣା ପରିବାର ଓ ସମ୍ପର୍କୀୟଙ୍କୁ ଗଭୀର ଆଘାତ ଦେଇଛି। ମୃତକଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)