ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନଜରରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ, ସୁଗମ ଓ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଏବର୍ଷ ପୁରୀକୁ ପ୍ରାୟ ୧ ହଜାର ବସ୍ ଚଳାଚଳ କରିବ। ଏହି ବସ୍ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ରଥଯାତ୍ରା ସମୟରେ ଯାନବାହନ ଚାପକୁ ମୁକାବିଲା କରିବା ପାଇଁ ମାଳତୀପାଟପୁର ଓ ତାଳବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବସ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିସହ ଭିଡ଼ ନିୟନ୍ତ୍ରଣ ଏବଂ ଯାତାୟାତକୁ ଦ୍ରୁତ କରିବା ଉଦ୍ଦେଶ୍ୟରେ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍ରେ କୌଣସି ଗାଡ଼ିରୁ ଟୋଲ୍ ଫି ଆଦାୟ କରାଯିବ ନାହିଁ । ଏହାଦ୍ୱାରା ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବ ନାହିଁ ଏବଂ ଟ୍ରାଫିକ୍ ଜାମ୍ ସମସ୍ୟା ହ୍ରାସ ପାଇବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରତ୍ୟେକ ବସ୍ରେ ଫାଷ୍ଟ ଏଡ୍ କିଟ୍ ରଖାଯିବ। ସେହିପରି ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ବସ୍ ଟର୍ମିନାଲ, କଟକ ନେତାଜୀ ବସ୍ ଟର୍ମିନାଲ, ପୁରୀର ତାଳବଣିଆ ଓ ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ସ୍ୱତନ୍ତ୍ର ଯାତ୍ରୀ ସୁବିଧା କେନ୍ଦ୍ର ଖୋଲାଯିବ। ରଥଯାତ୍ରା ସମୟରେ କୌଣସି ଗାଡ଼ି ରାସ୍ତାରେ ଅଚଳ ହେଲେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ବ୍ରେକଡାଉନ୍ ଭେହିକଲ୍ ବ୍ୟବସ୍ଥା କରାଯାଇଛି। ଏହା ସହିତ ଯାନବାହନ ହଟାଇବା ଓ ଟ୍ରାଫିକ୍ ସ୍ୱାଭାବିକ ରଖିବା ପାଇଁ ୩୦ରୁ ଅଧିକ କ୍ରେନ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ପରିବହନ କମିଶନର ଶ୍ରଦ୍ଧାଳୁ ଓ ଗାଡ଼ି ଚାଳକମାନଙ୍କୁ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ହିଁ ଯାନବାହନ ରଖିବାକୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବା ସହ ଯାତ୍ରୀଙ୍କ ଯାତାୟାତ ମଧ୍ୟ ଅଧିକ ସୁଗମ ହେବ ବୋଲି ସେ କହିଛନ୍ତି।
ରଥଯାତ୍ରା ସମୟରେ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପରିବହନ ବିଭାଗ କମିଶନର, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏବଂ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନେ ଯୋଗଦେଇ ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଥିଲେ। ଏକ ହଜାର ବସ୍, ଟୋଲ୍ ଫି ଛାଡ଼, ବ୍ୟାପକ ପାର୍କିଂ ବ୍ୟବସ୍ଥା, ସୁବିଧା କେନ୍ଦ୍ର ଓ ଜରୁରୀକାଳୀନ ସହାୟତା ସେବା ସହ ଏବର୍ଷର ରଥଯାତ୍ରା ପାଇଁ ପରିବହନ ବିଭାଗର ପ୍ରସ୍ତୁତି ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ ଓ ସୁଗମ କରିବ ବୋଲି ଆଶା କରାଯାଉଛି।















Leave a Reply