ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରୁଗୁଡ଼ି ଗାଁର ଲୁଣ ଗୋଠାଣି ସାହିର ସରବେୟା ମୁଣ୍ଡାଙ୍କୁ ଏକ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣ କରି ମାରିଦେଇଥିବା ବେଳେ ତାଙ୍କ ଭାଇ ଓ ଭଉଣୀ ଅଳ୍ପକେ ପ୍ରାଣ ବଞ୍ଚାଇବାରେ ସଫଳ ହୋଇଛନ୍ତି।
ସୂଚନା ଅନୁସାରେ, ସରବେୟା ମୁଣ୍ଡା ନିଜ ଭାଇ ଜିତୁ ମୁଣ୍ଡା ଓ ଭଉଣୀ ସୂର୍ଯ୍ୟ ମୁଣ୍ଡାଙ୍କ ସହ କାମ ସାରି ଜଙ୍ଗଲିଆ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ସେମାନେ ଜଙ୍ଗଲ ମଧ୍ୟରେ ଏକ ଗୋଠଛଡ଼ା ଦନ୍ତା ହାତୀର ସାମ୍ନାସାମ୍ନି ହୋଇଥିଲେ। ହଠାତ୍ ହାତୀଟି ସରବେୟା ମୁଣ୍ଡାଙ୍କୁ ଆକ୍ରମଣ କରି ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ତାଙ୍କ ଭାଇ ଜିତୁ ମୁଣ୍ଡା ଓ ଭଉଣୀ ସୂର୍ଯ୍ୟ ମୁଣ୍ଡା ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡ଼ି ପଳାଇଯିବାରୁ ଅଳ୍ପକେ ରକ୍ଷା ପାଇଥିଲେ।
ଘଟଣାର ଖବର ପାଇ ବନ ବିଭାଗ ଓ ପୁଲିସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ରାସ୍ତାରେ ସତର୍କତାର ସହ ଯିବାକୁ ବନ ବିଭାଗ ପରାମର୍ଶ ଦେଇଛି। ଏହି ଘଟଣା ପରେ ରୁଗୁଡ଼ି ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ୍ୟଜନ୍ତୁ-ମଣିଷ ସଂଘର୍ଷ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।















Leave a Reply