ଘରୁ ଟାଣିନେଇ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା; ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧୀନ ଜାମୁଡିହି ପଞ୍ଚାୟତର ଡିମ୍ବାଟୋଲା ଗାଁରେ ଏକ ହୃଦୟବିଦାରକ ଅଘଟଣ ଘଟିଛି। ଆଜି ଭୋର ସମୟରେ ଏକ ଦନ୍ତା ହାତୀ ଘର ଭିତରୁ ଜୋଲ ଓରାମ ନାମକ ଜଣେ ବୃଦ୍ଧଙ୍କୁ ଟାଣି ଆଣି ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ଘଟଣା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ବା ଆର୍ଥିକ ସହାୟତା ଏବଂ ଅଞ୍ଚଳରେ ବାରମ୍ବାର ହେଉଥିବା ହାତୀ ଉପଦ୍ରବ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଖବର ପାଇ ବନ ବିଭାଗ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ ହାତୀଟିକୁ ଜଙ୍ଗଲମୁହାଁ କରିବା ପାଇଁ ମଧ୍ୟ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ବାରମ୍ବାର ହାତୀ ଗାଁକୁ ପଶି ଘର ଭାଙ୍ଗିବା, ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସତ୍ତ୍ୱେ ସ୍ଥାୟୀ ସମାଧାନ ହୋଇନାହିଁ। ଏହି ମୃତ୍ୟୁ ପରେ ଗ୍ରାମବାସୀଙ୍କ ଅସନ୍ତୋଷ ଆହୁରି ବଢ଼ିଥିବାବେଳେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଓ ଭୟର ପରିବେଶ ଦେଖାଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)