ଅକ୍ଷର ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସୂଚୀରେ ପଶ୍ଚିମ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, ଧାର୍ମିକ କାର୍ଯ୍ୟକ୍ରମ, ସାଧାରଣ ସଭା ଏବଂ ଭୁବନେଶ୍ୱରରେ ଦଳୀୟ ସାଙ୍ଗଠନିକ ବୈଠକ ସାମିଲ ରହିଛି।
ଗସ୍ତ ସୂଚୀ ଅନୁଯାୟୀ, ଜୁଲାଇ ୩ ତାରିଖ ରାତି ୮ଟା ୪୦ ମିନିଟରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ଝାରସୁଗୁଡ଼ାର ମେ-ଫେୟାର ହୋଟେଲରେ ରାତ୍ରି ଯାପନ କରିବେ। ଜୁଲାଇ ୪ ତାରିଖ ସକାଳେ ସେ ବିଏସଏଫର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଲାକୁ ଯିବେ। ବରଗଡ଼ର ବାଉଲସିଂଘା ଠାରେ ନିର୍ମିତ ଇଥାନଲ ପ୍ରକଳ୍ପର ଉଦ୍ଘାଟନ କରିବା ସହ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।
ଏହାପରେ ଅମିତ ଶାହ ସଡ଼କ ପଥରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ପ୍ରଥମେ ମା’ ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ପରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସମ୍ବଲପୁରରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଉଦ୍ବୋଧନ ଦେବେ।
ଜୁଲାଇ ୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କର କଟକ ଓ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ SIR (Special Intensive Revision)କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବ। SIRର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବାରୁ ଏହି ବୈଠକରେ ସାଙ୍ଗଠନିକ ପ୍ରସ୍ତୁତି ଓ ପରବର୍ତ୍ତୀ ରଣନୀତିକୁ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଅମିତ ଶାହଙ୍କ ଏହି ତିନି ଦିନିଆ ଓଡ଼ିଶା ଗସ୍ତକୁ ରାଜ୍ୟର ବିକାଶମୂଳକ ପ୍ରକଳ୍ପ, ପଶ୍ଚିମ ଓଡ଼ିଶାର ରାଜନୈତିକ ସମୀକରଣ ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।













Leave a Reply