ଅକ୍ଷର ବ୍ୟୁରୋ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶ୍ରୀଧର ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ପ୍ରଶାସନିକ ମହଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟରେ ହଠାତ୍ ଅବନତି ଘଟିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଖବର ଶୁଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶ୍ରୀଧର ନାୟକଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିଜ ଶୋକବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି, “ଶ୍ରୀଧର ନାୟକଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ସେ ଜଣେ କର୍ତ୍ତବ୍ୟନିଷ୍ଠ, ଦାୟିତ୍ୱବାନ ଓ ନିଷ୍ଠାପରାୟଣ ଅଧିକାରୀ ଥିଲେ। ରାଜ୍ୟ ସରକାରର ବିଭିନ୍ନ ପଦପଦବୀରେ ରହି ସେ ଦକ୍ଷତା ଓ ସତତାର ସହ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।”
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରୁନ୍ତୁ। ସେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଏହାସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଭାଗର ଅଧିକାରୀ-କର୍ମଚାରୀମାନେ ମଧ୍ୟ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ମଧ୍ୟ ଗଭୀର ଶୋକବ୍ୟକ୍ତ କରାଯାଇଛି। ତାଙ୍କର ମରଶରୀର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। “ସଂଘ ଆଜି ଜଣେ ମେଳାପୀ, ମିଷ୍ଟଭାଷୀ ଓ କର୍ମଠ ଅଧିକାରୀଙ୍କୁ ହରାଇଲା,” ବୋଲି ସଂଘ ପକ୍ଷରୁ କୁହାଯାଇଛି।
ସ୍ୱର୍ଗତ ନାୟକ ୧୯୯୬ ମସିହା ଜୁଲାଇ ୧ ତାରିଖରୁ ଓଡ଼ିଶା ପ୍ରଶାସନିକ ସେବାରେ ନିଜ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ। ବିରାମହରାଜପୁର ତହସିଲଦାର, ଆଠମଲ୍ଲିକ ତହସିଲଦାର ଓ ବିଡ଼ିଓ, ଓଡ଼ପଡ଼ା ଓ ରସୁଲପୁର ବିଡ଼ିଓ, ନୀଳଗିରି ଉପ-ଜିଲ୍ଲାପାଳ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଓଡ଼ିଶା ସୂଚନା କମିଶନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରି ସେ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଆସନ୍ତା ଅକ୍ଟୋବର ମାସରେ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ।












Leave a Reply