ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ଚଢ଼ଉ କରିଛି ଓଡ଼ିଶା ଭିଜିଲାନ୍ସ। ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ମୋଟ ୭ଟି ସ୍ଥାନରେ ଏକସାଙ୍ଗରେ ତଲାସି ଚାଲିଛି। ଭିଜିଲାନ୍ସର ସୂଚନା ଅନୁଯାୟୀ, ଜଣାଶୁଣା ଆୟ ଉତ୍ସ ତୁଳନାରେ ଶ୍ରୀ ସାମନ୍ତରାୟଙ୍କ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ମିଳିବା ପରେ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି କରାଯାଉଛି। ଚଢ଼ଉରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମ୍ ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ଶ୍ରୀ ସାମନ୍ତରାୟଙ୍କ ୩ ବିଏଚ୍କେ ଫ୍ଲାଟ୍ରେ ତଲାସି କରୁଛି। ସେହିପରି ଭୁବନେଶ୍ୱର ନନ୍ଦନକାନନ ରୋଡ୍ ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ ଓ ଜଟଣୀ ନିକଟ ବାରକୁଦାରେ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ତାଙ୍କ କୋଠାରେ ମଧ୍ୟ ଚଢ଼ଉ ଚାଲିଛି। ଏହାସହ ପୁରୀ ବାଲିଗୁଆଳିର ଟୋଟା ବେହେରା ସାହିରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁବାସ ମାର୍ଗରେ ଥିବା ୨ ମହଲା କୋଠା ଏବଂ ବାଲୁଗାଁ ଅଶୋକ ନଗରସ୍ଥିତ ପୈତୃକ ସ୍ଥାନରେ ଥିବା ୨ ମହଲା କୋଠାରେ ମଧ୍ୟ ଏକକାଳୀନ ତଲାସି ଚାଲିଛି।
ସେହିପରି ସମ୍ବଲପୁରସ୍ଥିତ କାରଖାନା ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଶ୍ରୀ ସାମନ୍ତରାୟଙ୍କ ଅଫିସ୍ କକ୍ଷରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି। ଶେଷ ଖବର ସୁଦ୍ଧା ସମସ୍ତ ସ୍ଥାନରେ ଚଢ଼ଉ ଓ ସମ୍ପତ୍ତିର ଯାଞ୍ଚ ଜାରି ରହିଛି। ତଲାସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ସମ୍ପତ୍ତି, ନଗଦ ଟଙ୍କା, ବ୍ୟାଙ୍କ ଜମା, ଅନ୍ୟାନ୍ୟ ନିବେଶ ଓ ସମ୍ପତ୍ତିର ମୂଲ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।














Leave a Reply