ପାଣି ପାଇଁ ରାସ୍ତାରେ ବସିଲେ ଗାଁଲୋକ; ୨ ମାସ ଧରି ଜଳଯୋଗାଣ ବନ୍ଦ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଅକ୍ଷର ବ୍ୟୁରୋ: ପାନୀୟ ଜଳ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବାଳକୃଷ୍ଣପୁର ଗାଁରେ ଉତ୍ତେଜନା ଦେଖାଦେଇଛି। ପ୍ରାୟ ଦୁଇ ମାସ ଧରି ୧୨ ଓ ୧୩ ନମ୍ବର ୱାର୍ଡକୁ ପିଇବା ପାଣି ଯୋଗାଣ ବନ୍ଦ ରହିଥିବା ଅଭିଯୋଗରେ ସ୍ଥାନୀୟ ଲୋକ ରାସ୍ତାରେ ବସି ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦୁଇ ମାସ ହେଲା ସେମାନଙ୍କ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏନେଇ ସେମାନେ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିଲା। ଫଳରେ ଅତିଷ୍ଠ ହୋଇ ଗ୍ରାମବାସୀ ରାସ୍ତାରୋକ କରି ପ୍ରତିବାଦକୁ ଓହ୍ଲାଇଥିଲେ।

ଘଟଣାର ଖବର ପାଇ ବେଲଗା ପୋଲିସ, ଆରଡବ୍ଲୁଏସଏସ (RWSS)ର କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଆସନ୍ତା ତିନି ଦିନ ମଧ୍ୟରେ ସ୍ଥାୟୀ ଭାବେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାସହ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ପାଣି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନ ଆଶ୍ୱାସନ ଦେଇଛି। ପ୍ରଶାସନର ଏହି ପ୍ରତିଶ୍ରୁତି ପରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ତେବେ ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିଶ୍ରୁତି ପାଳନ ନହେଲେ ସେମାନେ ପୁଣିଥରେ ବୃହତ୍ତର ଆନ୍ଦୋଳନକୁ ଓହ୍ଲାଇବେ। ଦୀର୍ଘଦିନର ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)