କଟକ: ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ବେଳେ ଗତକାଲି ତୁଳନାରେ ଆଜି ମହାନଦୀରେ ବନ୍ୟାଜଳ ପ୍ରବାହ କିଛିଟା କମିଛି। ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହ ଧୀରେଧୀରେ ହ୍ରାସ ପାଇବାରୁ ମୁଣ୍ଡଳୀରେ ମଧ୍ୟ ଜଳପ୍ରବାହ କମୁଥିବା ଜଣାପଡ଼ିଛି। ତେବେ ମହାନଦୀର ଜଳ ଶାଖା ଓ ଉପନଦୀଗୁଡ଼ିକରେ ପ୍ରଭାବ ପକାଇବା ସହ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଏବେ ବି ରହିଛି। ବର୍ତ୍ତମାନ କଟକ ମୁଣ୍ଡଳୀ ବ୍ରିଜ୍ ଦେଇ ପ୍ରତି ସେକେଣ୍ଡରେ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜ ବ୍ୟାରେଜ୍ ଦେଇ କାଠଯୋଡ଼ି ନଦୀକୁ ୩ ଲକ୍ଷ ୮୯ ହଜାର ୩୬୨ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି।
ମୁଣ୍ଡଳୀରେ ଅପ୍ଷ୍ଟ୍ରିମ୍ ଜଳସ୍ତର ୯୨ ଫୁଟ୍ ଥିବା ବେଳେ ଡାଉନ୍ଷ୍ଟ୍ରିମ୍ ଜଳସ୍ତର ୮୯.୫୦ ଫୁଟ୍ ରହିଛି। ନରାଜରେ ଅପ୍ଷ୍ଟ୍ରିମ୍ ଜଳସ୍ତର ୨୫.୯୦ ମିଟର ଏବଂ ଡାଉନ୍ଷ୍ଟ୍ରିମ୍ ଜଳସ୍ତର ୨୩.୧୦ ମିଟର ରହିଛି। ଉଭୟ ମୁଣ୍ଡଳୀ ଓ ନରାଜରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ମହାନଦୀର ଜଳପ୍ରବାହର ପ୍ରଭାବ ଏହାର ଶାଖା ଓ ଉପନଦୀଗୁଡ଼ିକ ଉପରେ ପଡ଼ିବାର ଆଶଙ୍କା ରହିଛି। ଲୁଣା, କରାଣ୍ଡିଆ, ରତ୍ନଚିରା, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି ଓ କୁଆଖାଇ ଭଳି ନଦୀରେ ଜଳସ୍ତର ବଢ଼ିପାରେ। ଫଳରେ ନଦୀକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି।
ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି। ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳକୁ ନେଇ ସତର୍କତା ରହିଛି। ସେହିପରି କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପଶିବା ଆରମ୍ଭ ହୋଇଥିବା ସୂଚନା ମିଳିଛି। ମୁଣ୍ଡଳୀରେ ଜଳପ୍ରବାହ କ୍ରମଶଃ କମୁଥିବାରୁ ତତ୍କାଳୀନ ଭାବେ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ତଳମୁଣ୍ଡର ନଦୀ ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନଜର ରହିଛି। ହୀରାକୁଦରୁ ଜଳ ନିଷ୍କାସନ, ଉପରମୁଣ୍ଡର ଜଳପ୍ରବାହ ଓ ଶାଖା ନଦୀଗୁଡ଼ିକର ଜଳସ୍ତର ଆଧାରରେ ଆଗାମୀ ସ୍ଥିତି ନିର୍ଣ୍ଣୟ ହେବ।














Leave a Reply