ମଝି ସମୁଦ୍ରରେ ତେଲ ଜାହାଜରେ ପଶିଲା ପାଣି, ୧୦ ଡିଗ୍ରି ଢଳିଲା; ଟଗ୍ ସହାୟତାରେ ପାରାଦୀପରେ ସୁରକ୍ଷିତ ବର୍ଥିଂ

ପାରାଦୀପ: ଲୁହାପଥର ବୋଝେଇ ଜାହାଜ ‘ଏମଭି ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ପ୍ରାୟ ଦେଢ଼ ମାସ ନ ପୂର୍ବରୁ ପାରାଦୀପ ଉପକୂଳ ନିକଟରେ ଆଉ ଏକ ବଡ଼ ସାମୁଦ୍ରିକ ଅଘଟଣରୁ ଅଳ୍ପକେ ରକ୍ଷା ପାଇଛି ଏକ ତେଲ ଜାହାଜ। ମଝି ସମୁଦ୍ରରେ ଇଞ୍ଜିନ୍ ଖରାପ ହୋଇଯିବା ପରେ ଜାହାଜରେ ପାଣି ପଶି ଏହା ଗୋଟିଏ ପଟକୁ ପ୍ରାୟ ୧୦ ଡିଗ୍ରି ଢଳି ଯାଇଥିଲା। ଜରୁରୀ ସୂଚନା ପାଇବା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, କୋଷ୍ଟଗାର୍ଡ ଓ ନୌସେନାର ସମନ୍ୱିତ ପଦକ୍ଷେପରେ ଜାହାଜଟିକୁ ସୁରକ୍ଷିତ ଭାବେ ବନ୍ଦରକୁ ଆଣି ବର୍ଥିଂ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ‘ଏମଭି ସି ଗଲ୍ ୯’ ପ୍ରାୟ ୯ ହଜାର ମେଟ୍ରିକ୍ ଟନ୍ ଅଶୋଧିତ ପାମ୍ ତେଲ ନେଇ ପାରାଦୀପ ବନ୍ଦର ଅଭିମୁଖେ ଆସୁଥିଲା। ବନ୍ଦରଠାରୁ ପ୍ରାୟ ୩୫ ନଟିକାଲ୍ ମାଇଲ୍ ଦୂରରେ ଥିବା ବେଳେ ଜାହାଜର ଇଞ୍ଜିନ୍ ଖରାପ ହୋଇଯାଇଥିଲା। ଏହାପରେ ଟଗ୍ ସହାୟତା ପାଇଁ ଜାହାଜ ପକ୍ଷରୁ ଅନୁରୋଧ କରାଯାଇଥିଲା। ଇଞ୍ଜିନ୍ ସମସ୍ୟା ମଧ୍ୟରେ ଜାହାଜ ଭିତରକୁ ପାଣି ପଶି ଏହା ଗୋଟିଏ ପଟକୁ ପ୍ରାୟ ୧୦ ଡିଗ୍ରି ଢଳି ଯାଇଥିଲା। ସିପିଂ ଏଜେନ୍ସି ଆଣ୍ଟଲାଟିକ୍ ଗ୍ଲୋବାଲ ସିପିଂ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପଠାଯାଇଥିବା ଆପଦ ସଙ୍କେତ ପ୍ରଥମେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ମିଳିଥିଲା। ଏହାପରେ କୋଷ୍ଟଗାର୍ଡ ଓ ନୌସେନା ସହ ଯୋଗାଯୋଗ କରାଯାଇ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା।

ଡେପୁଟି କନଜରଭେଟର କ୍ୟାପ୍ଟେନ୍ ଏ.ସି. ସାହୁଙ୍କ ସମନ୍ୱୟରେ ପାରାଦୀପ ବନ୍ଦରର ଟଗ୍‌କୁ ଜାହାଜ ନିକଟକୁ ପଠାଯାଇଥିଲା। ପ୍ରାୟ ୩୫ ନଟିକାଲ୍ ମାଇଲ୍ ଦୂରରେ ଥିବା ଜାହାଜ ନିକଟରେ ଟଗ୍ ପହଞ୍ଚି ଏହାକୁ ସୁରକ୍ଷିତ ଭାବେ ପାରାଦୀପ ଅଭିମୁଖେ ଟାଣି ଆଣିଥିଲା। ପରେ ଜାହାଜଟି ସର୍ବନିମ୍ନ ଇଞ୍ଜିନ୍ ଶକ୍ତି ବ୍ୟବହାର କରି ବନ୍ଦର ଭିତରକୁ ପ୍ରବେଶ କରିଥିଲା।

ଡେପୁଟି କନଜରଭେଟର କ୍ୟାପ୍ଟେନ୍ ଏ. ସାହୁ ଓ ପାଇଲଟ୍ କ୍ୟାପ୍ଟେନ୍ ଏସ୍.ବି. ପାଣିଗ୍ରାହୀଙ୍କ ନେତୃତ୍ୱରେ ଜାହାଜଟିକୁ ଏନକ୍ୟୁ-୨ ବର୍ଥରେ ସୁରକ୍ଷିତ ଭାବେ ବର୍ଥିଂ କରାଯାଇଛି। ଏହି ଘଟଣାରେ ଜାହାଜରେ ଥିବା ସମସ୍ତ ୨୩ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପ୍ରତିକ୍ରିୟା, ସମନ୍ୱିତ ପଦକ୍ଷେପ ଓ ନୌସାମୁଦ୍ରିକ ସହାୟତା ଯୋଗୁଁ ଜାହାଜ, ଏଥିରେ ଥିବା କ୍ରୁ ସଦସ୍ୟ ଏବଂ ପଣ୍ୟକୁ ସୁରକ୍ଷିତ କରାଯାଇପାରିଛି। ଜାହାଜରେ ଥିବା ପାମ୍ ତେଲ ଆଦାନି ୱିଲମାର କମ୍ପାନି ପାଇଁ ଆସୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial