କମୁଛି ବୈତରଣୀର ଜଳସ୍ତର, ଟଳିଲା ବଡ଼ ବନ୍ୟା ଆଶଙ୍କା; ଆଖୁଆପଦାରେ ବିପଦ ସଙ୍କେତ ତଳକୁ ନଦୀ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ପରେ ଚଳିତ ବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ଦେଖା ଦେଇଥିବା ବେଳେ ଏବେ ଧୀରେ ଧୀରେ ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ରାତି ୧୦ଟା ସୁଦ୍ଧା ନଦୀର ଜଳସ୍ତର ୧୮.୧୧ ମିଟରରେ ପ୍ରବାହିତ ହେଉଥିବାରୁ ବଡ଼ ବନ୍ୟା ଆଶଙ୍କା କିଛିଟା କମିଛି।

ବୈତରଣୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ବିପଦସଙ୍କୁଳ ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି। ନଦୀବନ୍ଧ, ଘାଇ ସମ୍ଭାବନା ଥିବା ଅଞ୍ଚଳ ଏବଂ ଜଳପ୍ରବାହର ସ୍ଥିତିକୁ ଅଧିକାରୀମାନେ ଲଗାତାର ଅନୁଧ୍ୟାନ କରୁଛନ୍ତି। ଆସନ୍ନ ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ମଧ୍ୟ ସମୀକ୍ଷା ବୈଠକ କରି ସ୍ଥିତିର ଆକଳନ କରିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସେପଟେ ବନ୍ୟା ଜଳ କ୍ରମଶଃ କମୁଥିବାରୁ ଲୋକମାନେ ଭୟଭୀତ ନହେବାକୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଆହ୍ୱାନ କରିଛନ୍ତି। ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ନଦୀର ଜଳସ୍ତରରେ ପରିବର୍ତ୍ତନ ଓ ତଳିଆ ଅଞ୍ଚଳର ସ୍ଥିତିକୁ ଲଗାତାର ଅନୁଧ୍ୟାନ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ ରହିବା ଏବଂ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)