‘CWC ଯାହା ନିଷ୍ପତ୍ତି ନେବ, ମାନିବୁ’; ଦିଲ୍ଲୀ ବୈଠକ ପୂର୍ବରୁ କହିଲେ ଛତିଶଗଡ଼ CM

ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ସେ କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗ (CWC) ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ଉଭୟ ରାଜ୍ୟ। ତାଙ୍କ ମତରେ, ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି।

ଦିଲ୍ଲୀ ଗସ୍ତ ପୂର୍ବରୁ ସାଏ କହିଛନ୍ତି ଯେ, ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ପରାମର୍ଶ ମାଧ୍ୟମରେ ଆଗକୁ ବଢ଼ୁଛନ୍ତି। ତାଙ୍କ ଅନୁସାରେ, ଉଭୟ ରାଜ୍ୟର ହିତକୁ ଦୃଷ୍ଟିରେ ରଖି CWC ଯେଉଁ ନିଷ୍ପତ୍ତି ଦେବ, ତାହାକୁ ଗ୍ରହଣ କରିବା ନେଇ ସହମତି ରହିଛି। ସେପ୍ଟେମ୍ବର ୨୧ରେ ମଧ୍ୟ ସାଏ ସମାନ ଭାବେ କହିଥିଲେ ଯେ CWC ଉଭୟ ରାଜ୍ୟର ହିତରେ ଯେଉଁ ନିଷ୍ପତ୍ତି ନେବ, ତାହାକୁ ଦୁଇ ରାଜ୍ୟ ଗ୍ରହଣ କରିବେ। ଏପଟେ ଜୁଲାଇ ୩୦ରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହାପରେ CWC ଅଧୀନରେ ବୈଷୟିକ କମିଟି ମାଧ୍ୟମରେ ତଥ୍ୟ ଆଦାନପ୍ରଦାନ ଓ ବାକିଥିବା ବୈଷୟିକ ପ୍ରସଙ୍ଗ ନେଇ ଆଲୋଚନା ଚାଲିଛି। ସେପ୍ଟେମ୍ବର ୨୮ରେ ଏହି ବୈଷୟିକ କମିଟିର ତୃତୀୟ ବୈଠକ ମଧ୍ୟ ହୋଇଥିଲା।

ଏବେ ଅକ୍ଟୋବର ୧ରେ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ଆଲୋଚନା ହେବାକୁ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ଅଧ୍ୟକ୍ଷତା କରିବେ ବୋଲି ରିପୋର୍ଟ ରହିଛି। ବୈଠକରେ ଦୁଇ ରାଜ୍ୟର ମୁଖ୍ୟ ସଚିବ ଓ ପ୍ରାଯୁକ୍ତିକ ଟିମ୍‌ର ସଦସ୍ୟମାନେ ମଧ୍ୟ ଯୋଗଦେବେ। ମହାନଦୀ ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ପକ୍ଷରୁ ଆଲୋଚନା, ବୈଷୟିକ ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି। ଜୁଲାଇର ବୈଠକରେ ଉଭୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଠନମୂଳକ ଭାବରେ ବୈଷୟିକ ଆଲୋଚନା ଜାରି ରଖିବାକୁ ସମ୍ମତି ଦେଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial