ବାଲେଶ୍ୱର: ଭୋଗରାଇରୁ ଧରାପଡ଼ିଥିବା ଓରାଙ୍ଗଓଟାନ୍ ଶାବକଙ୍କୁ ନେଇ ଏବେ ଉଠିଛି ଅନେକ ବଡ଼ ପ୍ରଶ୍ନ। ଧରାପଡ଼ିଥିବା ଶାବକମାନଙ୍କ ବୟସ ପ୍ରାୟ ବର୍ଷକର ବୋଲି ଜଣାପଡ଼ିଛି। ଏତେ କମ୍ ବୟସରେ ଓରାଙ୍ଗଓଟାନ୍ ଶାବକ ନିଜେ ନିଜର ଜୀବନ ଚଳାଇବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇନଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆ ଉପରେ ନିର୍ଭର କରି ହିଁ ସେମାନେ ବଢ଼ିଥାନ୍ତି। ପ୍ରାୟ ୬ରୁ ୮ ବର୍ଷ ପର୍ଯ୍ୟନ୍ତ ମାଆ ସହିତ ରହିବା ସମୟରେ ଶାବକମାନେ ଜୀବନଧାରଣର ଅନେକ ଜରୁରୀ କୌଶଳ ଶିଖିଥାନ୍ତି। କେଉଁ ଫଳ ଖାଇବା ଉଚିତ, କେଉଁଠାରେ ଖାଦ୍ୟ ଖୋଜିବାକୁ ହେବ ଏବଂ କେଉଁ ଗଛରେ ରହିବା ସୁରକ୍ଷିତ—ଏସବୁ ମାଆ ହିଁ ଶାବକଙ୍କୁ ଶିଖାଇଥାନ୍ତି। ତେଣୁ ପ୍ରାୟ ବର୍ଷକର ଶାବକଙ୍କୁ ମାଆଠାରୁ ଏତେ କମ୍ ବୟସରେ ଅଲଗା କରାଯିବା ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ।
ଓରାଙ୍ଗଓଟାନ୍ଙ୍କ ପ୍ରାକୃତିକ ବାସସ୍ଥାନକୁ ନେଇ ମଧ୍ୟ ଉଠିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଓରାଙ୍ଗଓଟାନ୍ ମୁଖ୍ୟତଃ ଇଣ୍ଡୋନେସିଆର ବୋର୍ନିଓ ଓ ସୁମାତ୍ରା ଦ୍ୱୀପର ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲରେ ବାସ କରନ୍ତି। ଭାରତ ଓ ଏହି ଦ୍ୱୀପପୁଞ୍ଜ ମଧ୍ୟରେ ଓରାଙ୍ଗଓଟାନ୍ଙ୍କ ପାଇଁ କୌଣସି ଅବିଚ୍ଛିନ୍ନ ପ୍ରାକୃତିକ ଜଙ୍ଗଲ ଅଞ୍ଚଳ ନାହିଁ। ତେଣୁ ଭାରତର କୌଣସି ଜଙ୍ଗଲରେ ଏମାନେ ସ୍ୱାଭାବିକ ଭାବେ ପହଞ୍ଚିଥିବା ସମ୍ଭାବନାକୁ ନେଇ ପ୍ରଶ୍ନ ଉଠୁଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓରାଙ୍ଗଓଟାନ୍ ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲ ପରିବେଶରେ ବିକଶିତ ହୋଇଛନ୍ତି। ତେଣୁ ଶୁଷ୍କ ପତ୍ରଝଡ଼ା ଜଙ୍ଗଲ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ନୁହେଁ। ଏହି ପରିସ୍ଥିତିରେ ଭୋଗରାଇରୁ ମିଳିଥିବା ଶାବକମାନେ କେଉଁଠାରୁ ଆସିଲେ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ବନ୍ୟଜୀବ ଚୋରାଚାଲାଣ ଘଟଣାରେ ଅନେକ ସମୟରେ ମାଆ ପ୍ରାଣୀକୁ ହତ୍ୟା କରି ଶାବକକୁ ଅଲଗା କରାଯାଇଥିବା ଏବଂ ପରେ ଶାବକକୁ ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ନଜିର ରହିଛି। ଏହି କାରଣରୁ ଭୋଗରାଇରୁ ମିଳିଥିବା ଓରାଙ୍ଗଓଟାନ୍ ଶାବକଙ୍କ ମାମଲାରେ ମଧ୍ୟ ଚୋରାଚାଲାଣର ସମ୍ଭାବନାକୁ ନେଇ ପ୍ରଶ୍ନ ଉଠୁଛି।ଶାବକମାନେ କେଉଁଠାରୁ ଆସିଲେ? କିଏ ସେମାନଙ୍କୁ ଭୋଗରାଇକୁ ଆଣିଲା? ସେମାନେ ମାଆଠାରୁ କିପରି ଅଲଗା ହେଲେ? ଏତେ କମ୍ ବୟସରେ ସେମାନଙ୍କୁ କାହିଁକି ମାଆଠାରୁ ଦୂରେ ରଖାଗଲା? ଏଭଳି ଅନେକ ପ୍ରଶ୍ନ ଏବେ ତଦନ୍ତକାରୀଙ୍କ ସାମ୍ନାରେ ରହିଛି। ତଦନ୍ତ ଆଗକୁ ବଢ଼ିବା ପରେ ହିଁ ଏହି ଦୁର୍ଲଭ ବନ୍ୟଜୀବ ଭୋଗରାଇରେ କିପରି ପହଞ୍ଚିଲେ, ତାହାର ପୂରା ରହସ୍ୟ ଖୋଲିବ।














Leave a Reply