ଚିଲିକା ଟାପୁରେ ବାରହା ଆତଙ୍କ; ମହିଳାଙ୍କ ମୃତ୍ୟୁ ପରେ ଭୟରେ ଗାଁ, ସୁରକ୍ଷା ଦାବି ଜୋରଦାର

ଅକ୍ଷର ବ୍ୟୁରୋ: ଚିଲିକା ଟାପୁ ଅଞ୍ଚଳରେ ଏବେ ବଣୁଆ ବରାହଙ୍କ ଆତଙ୍କ ଚରମରେ ପହଞ୍ଚିଛି। ବାରମ୍ବାର ବରାହ ଆକ୍ରମଣରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ, ନିକଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଭୟରେ ସ୍ଥାନୀୟ ବାସିନ୍ଦାମାନେ ଦୈନନ୍ଦିନ ଜୀବନ ବିତାଉଥିବା ସହ ବନ ବିଭାଗର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

ଘଟଣାଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବଳଭଦ୍ରପୁର ଗାଁରେ ଘଟିଛି। ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ବଣୁଆ ବରାହ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚିଲିକାର ଏହି ଟାପୁ ଅଞ୍ଚଳରେ ଅନ୍ୟ କୌଣସି ବଡ଼ ହିଂସ୍ର ବନ୍ୟଜନ୍ତୁର ଉପଦ୍ରବ ନଥିବା ବେଳେ କେବଳ ବଣୁଆ ବରାହଙ୍କ ସଂଖ୍ୟା ଦ୍ରୁତ ହାରରେ ବଢ଼ୁଛି। ଫଳରେ ବାରମ୍ବାର ଲୋକବସତି ମୁହାଁ ହୋଇ ଏହି ବନ୍ୟଜନ୍ତୁମାନେ ଆକ୍ରମଣ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସୁରକ୍ଷା ବଢ଼ିଛି।

ସ୍ଥାନୀୟ ସ୍ତରରେ ଚର୍ଚ୍ଚା ହେଉଛି ଯେ, ଚିଲିକା ଅଞ୍ଚଳର ଲୁଣିଆ ମାଟି ଓ ଅନୁକୂଳ ପାଣିପାଗ ବଣୁଆ ବରାହଙ୍କ ବଂଶବିସ୍ତାର ପାଇଁ ସହାୟକ ହେଉଛି। ଏହି କାରଣରୁ ବରାହଙ୍କ ସଂଖ୍ୟା ଅଣାୟତ୍ତ ଭାବେ ବଢ଼ୁଥିବା ସ୍ଥାନୀୟମାନେ ଅଭିଯୋଗ କରୁଛନ୍ତି। ବାରମ୍ବାର ଆକ୍ରମଣ ଘଟୁଥିବାରୁ ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବା, ବରାହଙ୍କ ଗତିବିଧି ଉପରେ ନଜରଦାରି ବଢ଼ାଇବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ଚିଲିକା ଟାପୁ ଅଞ୍ଚଳରେ ଭୟ ଓ ଉଦ୍ବେଗର ପରିବେଶ ଲାଗି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial