ଜାତୀୟ ରାଜପଥରେ ବୁଲୁଛି ରେଡିଓ କଲାର୍‌ ପିନ୍ଧିଥିବା ବଣୁଆ ଦନ୍ତାହାତୀ ‘ଗଜେନ୍ଦ୍ର ରାଜୁ’; ଦେଖିବାକୁ ଲୋକଙ୍କ ଭିଡ଼

ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବନାଞ୍ଚଳ ଅଧୀନ ନୂଆଁପଡା ଗାଁ ଦେଇ ଯାଇଥିବା ଜାତୀୟ ରାଜପଥ-୧୪୯ବି (NH-149B) ଉପରେ ଏବେ ଅବାଧରେ ବିଚରଣ କରୁଛି ରେଡିଓ କଲାର୍‌ ପିନ୍ଧିଥିବା ବଣୁଆ ଦନ୍ତାହାତୀ ଗଜେନ୍ଦ୍ର ରାଜୁ। ରାଜ୍ୟରେ ପ୍ରଥମ ଥର ପାଇଁ ରେଡିଓ କଲାର୍‌ ଲଗାଯାଇଥିବା ଏହି ଦନ୍ତାହାତୀକୁ ଦେଖିବା ପାଇଁ ରାଜପଥ କଡ଼ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ଗୁଳିବିଦ୍ଧ ହେବା ପରେ ଦନ୍ତାହାତୀଟିର ଚିକିତ୍ସା କରାଯାଇଥିଲା। ଏହା ପରଠାରୁ ହାତୀଟିର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଛି। ପୂର୍ବଭଳି ଗଭୀର ଜଙ୍ଗଲରେ ରହିବା ପରିବର୍ତ୍ତେ ଏହା ବାରମ୍ବାର ଗାଁ ନିକଟ ଅଞ୍ଚଳ ଏବଂ ଜାତୀୟ ରାଜପଥ କଡ଼ରେ ବୁଲୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହାତୀଟି କୌଣସି ପ୍ରକାର ଆକ୍ରମଣାତ୍ମକ ବ୍ୟବହାର କରୁନାହିଁ। ଏହି କାରଣରୁ ଅନେକ ଲୋକ ଭୟଭୀତ ନହୋଇ ଏହାକୁ ଧାନ, କଦଳୀ ଓ ବିଭିନ୍ନ ପ୍ରକାର ପନିପରିବା ଖାଇବାକୁ ଦେଉଥିବା ଦେଖାଯାଉଛି। ତେବେ ଜାତୀୟ ରାଜପଥ ଉପରେ ହାତୀର ବିଚରଣ ଯୋଗୁଁ ଯାତାୟାତ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଅନ୍ୟପଟେ, ବନ୍ୟଜନ୍ତୁ ବିଶେଷଜ୍ଞମାନେ ବଣୁଆ ହାତୀଙ୍କୁ ଖାଦ୍ୟ ଦେବା ଏବଂ ଅତି ନିକଟକୁ ଯିବା ବିପଦଜନକ ବୋଲି ସତର୍କ କରୁଛନ୍ତି। ବନ ବିଭାଗ ମଧ୍ୟ ହାତୀଟିର ଗତିବିଧି ଉପରେ ରେଡିଓ କଲାର୍‌ ମାଧ୍ୟମରେ ନଜର ରଖିଥିବା ବେଳେ, ସାଧାରଣ ଲୋକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)