ଛାତରୁ ଖସି ମହିଳାଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ଦୁର୍ଘଟଣା? ସିସିଟିଭି ଯାଞ୍ଚରେ ଖୋଜୁଛି ପୋଲିସ

ଅକ୍ଷର ବ୍ୟୁରୋ: ବଲାଙ୍ଗୀର ସହରର ତୁଳସୀନଗର ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଭଡ଼ା ଘରର ଛାତରୁ ପଡ଼ି ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକା ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲାର ନମିତା ସାମଲ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ନମିତା ସାମଲ ତାଙ୍କ ଝିଅଙ୍କ ସହ ବଲାଙ୍ଗୀରର ତୁଳସୀନଗରରେ ଏକ ଭଡ଼ା ଘରରେ ରହୁଥିଲେ। ତାଙ୍କ ଝିଅ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ଗୁରୁବାର ସକାଳେ ଝିଅ କଲେଜ ଯାଇଥିବା ବେଳେ ଘରେ ଏକାକୀ ଥିବା ନମିତା ସାମଲ ଛାତରୁ ତଳକୁ ପଡ଼ିଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହା ଆତ୍ମହତ୍ୟା ହୋଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ, ପୋଲିସ ଏହାକୁ ନିଶ୍ଚିତ କରିନାହିଁ।

ମହିଳା ତଳେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି। ବିଶେଷକରି ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ମତରେ, ସିସିଟିଭି ଫୁଟେଜ୍‌ରୁ ଏହା ଆତ୍ମହତ୍ୟା, ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି, ତାହା ସ୍ପଷ୍ଟ ହୋଇପାରିବ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial