ସକାଳୁ ଶୌଚ ପାଇଁ ଯାଇଥିଲା ବେଳେ ନଦୀକୂଳରୁ ନିଖୋଜ ମହିଳା, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଗାଁ ଗ୍ରାମରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ରୁବିନା ନାଥ ନାମକ ଜଣେ ମହିଳା ସକାଳୁ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଏବଂ ଉଦ୍ବେଗର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରୁବିନା ନାଥ ପ୍ରତିଦିନ ଭଳି ଆଜି ସକାଳୁ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି ବେଳେ ନଦୀକୂଳରେ ତାଙ୍କର ଲୁଗାପଟା ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ପରେ ଘଟଣାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି।

ଖବର ପାଇ ଅଗ୍ନିଶମ ବିଭାଗର ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ପିଡ୍ ବୋଟ୍ ସହାୟତାରେ ନଦୀ ମଧ୍ୟରେ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ନଦୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ମହିଳାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତ୍କଣ୍ଠା ବଢ଼ିଚାଲିଛି। ନଦୀରେ ଖସି ପଡ଼ିଥିବା କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରକୃତ ଘଟଣା କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଅଭିଯାନ ଜାରି ରହିଛି। ନିଖୋଜ ମହିଳାଙ୍କ ସନ୍ଧାନ ମିଳିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial