ଅକ୍ଷର ବ୍ୟୁରୋ: ଓଡ଼ିଶାର ମହିଳାମାନଙ୍କୁ କେବଳ ସ୍ୱାବଲମ୍ବୀ କିମ୍ବା ସଶକ୍ତ ନୁହେଁ, ବରଂ ରୋଜଗାର ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆୟୋଜିତ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି— “ଓଡ଼ିଶାର ମହିଳାମାନେ ଆଉ ଚାକିରି ଖୋଜିବେ ନାହିଁ, ବରଂ ଅନ୍ୟମାନଙ୍କୁ ଚାକିରି ଦେବେ।”
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହ ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ଆଣିବା ସରକାରଙ୍କ ପ୍ରାଥମିକତା। ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ମହିଳା ଉଦ୍ୟମିତା ମଞ୍ଚ ମାଧ୍ୟମରେ ମହିଳାମାନଙ୍କୁ ଦକ୍ଷତା ବିକାଶ (ସ୍କିଲ୍ ଡେଭଲପମେଣ୍ଟ), ବ୍ୟବସାୟିକ ପରାମର୍ଶ, ଆର୍ଥିକ ସହାୟତା ଓ ଉଦ୍ୟୋଗ ସ୍ଥାପନ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏହା ମାଧ୍ୟମରେ କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ନୁହେଁ, ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।
ଏମ୍ଏସ୍ଏମ୍ଇ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅନେକ ବଡ଼ ଔଦ୍ୟୋଗିକ ପ୍ରକଳ୍ପର ଭେଟି ମଧ୍ୟ ମିଳିଛି। ବାଲେଶ୍ୱରରେ ଏକ ବୃହତ୍ ‘ରାଇସ୍ ମିଲିଂ କ୍ଲଷ୍ଟର’ର ଶୁଭାରମ୍ଭ କରାଯାଇଛି। ଏହି କ୍ଲଷ୍ଟରରେ ଉତ୍ପାଦିତ ରାଇସ୍ ବ୍ରାନ୍ ଅଏଲ୍ ମାଧ୍ୟମରେ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ହଜାର ହଜାର ଧାନଚାଷୀ ଉପକୃତ ହେବା ସହ ସ୍ଥାନୀୟ କୃଷି ଓ ବ୍ୟବସାୟ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ।
ସେହିପରି, ଓଡ଼ିଶାର ପ୍ରସିଦ୍ଧ ପାହାଳ ରସଗୋଲାକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ପାହାଳ ରସଗୋଲା କ୍ଲଷ୍ଟର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହି କ୍ଲଷ୍ଟର ଗଠନ ହେଲେ ସ୍ଥାନୀୟ ରସଗୋଲା ବ୍ୟବସାୟୀମାନେ ଆଧୁନିକ ଭିତ୍ତିଭୂମି, ଉତ୍ପାଦନ ଓ ବିପଣନ ସୁବିଧା ପାଇବେ। ଏହାଛଡ଼ା ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାରେ ଦୁଇଟି ନୂଆ ଏମ୍ଏସ୍ଏମ୍ଇ ପାର୍କର ଉଦଘାଟନ କରାଯାଇଛି। ଏହି ପାର୍କଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ଗତି ମିଳିବା ସହ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ହିଁ ଓଡ଼ିଶାର ଆର୍ଥିକ ବିକାଶର ମୁଖ୍ୟ ଚାଳିକା ଶକ୍ତି। ମହିଳା ଉଦ୍ୟମିତାକୁ ପ୍ରୋତ୍ସାହନ, ନୂତନ ଶିଳ୍ପ କ୍ଲଷ୍ଟର ଓ ଏମ୍ଏସ୍ଏମ୍ଇ ପାର୍କ ମାଧ୍ୟମରେ ରାଜ୍ୟରେ ନିବେଶ, ଉତ୍ପାଦନ ଓ ରୋଜଗାର ବୃଦ୍ଧି ପାଇବ। ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ଟି ଆର୍ଥିକ ସମୃଦ୍ଧ ରାଜ୍ୟ ମଧ୍ୟରେ ସାମିଲ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ପୁନର୍ବ୍ୟକ୍ତ କରିଛନ୍ତି।













Leave a Reply