ଅକ୍ଷର ବ୍ୟୁରୋ: ଯୋଗ କେବଳ ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ନୁହେଁ, ବରଂ ମନ, ବୁଦ୍ଧି ଓ ଆତ୍ମାକୁ ସନ୍ତୁଳିତ ରଖିବାର ଏକ ଜୀବନଦର୍ଶନ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ସେ ଯୁବପିଢ଼ିଙ୍କୁ ଦୈନିକ ଯୋଗ ଓ ପ୍ରାଣାୟାମକୁ ଜୀବନଶୈଳୀର ଅଂଶ କରିବାକୁ ଆହ୍ୱାନ କରିଛନ୍ତି।
ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଗ ଶାରୀରିକ ବ୍ୟାୟାମଠାରୁ ବହୁ ଉର୍ଦ୍ଧ୍ୱରେ। ଏହା ମଣିଷର ସମଗ୍ର ବ୍ୟକ୍ତିତ୍ୱ ବିକାଶ ସହ ଜୀବନକୁ ସୁସଂଗଠିତ ଓ ସକାରାତ୍ମକ ଦିଗରେ ପରିଚାଳିତ କରିଥାଏ। ଯୋଗ ଆଜି କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି। ପୃଥିବୀର ପ୍ରାୟ ସମସ୍ତ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଶାରୀରିକ, ବୌଦ୍ଧିକ ଏବଂ ମାନସିକ ବିକାଶ ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ବର୍ତ୍ତମାନର ଯୁବ ସମାଜ ଅଧିକ ସମୟ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟତୀତ କରୁଛନ୍ତି। ଏହା ପରିବର୍ତ୍ତେ ପ୍ରତିଦିନ ଅତିକମରେ ୩୦ ମିନିଟ ସମୟ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ ପାଇଁ ଦେବାକୁ ସେ ଆହ୍ୱାନ କରିଥିଲେ। ଏହା ଦ୍ୱାରା ସୁସ୍ଥ ଶରୀର ସହ ମାନସିକ ଶାନ୍ତି ଓ ଏକାଗ୍ରତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗ ଦେଇ ସାମୂହିକ ଯୋଗାଭ୍ୟାସ କରିଥିଲେ।












Leave a Reply